ହାଇଦ୍ରାବାଦ: 2024 ପାଇଁ ବିଧାନସଭା ନିର୍ବାଚନକୁ ସେମିଫାଇନାଲ କୁହାଯାଉଥିବା ବେଳେ ତେଲେଙ୍ଗାନାରେ ଚମକିଛି କଂଗ୍ରେସ । କେସିଆରଙ୍କ କାରକୁ ପଛରେ ପକାଇ ଆଗକୁ ମାଡି ଯାଇଛି ହାତ । ହାତ ମୁଠାକୁ ଆସିଯାଇଛି ଦକ୍ଷିଣ ଭାରତର ଗୁରୁତ୍ବପୂର୍ଣ୍ଣ ରାଜ୍ୟ ତେଲେଙ୍ଗାନା । କିଏ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଆଜି ତାହା ସ୍ପଷ୍ଟ ହୋଇଯିବ । ରବିବାର ରାତିରେ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳ ତାମିଲସାଇଙ୍କୁ ଭେଟି ସରକାର ଗଢିବାକୁ ଜଣାଇଛନ୍ତି । ତେବେ ପିସିସି ସଭାପତି ତଥା କୋଡଙ୍ଗଲ ବିଧାୟକ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଶେଷ ସୁତ୍ରକୁ ସୂଚନା ମିଳିଛି ।
ଦଳୀୟ ସୁତ୍ର ଅନୁସାରେ ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ଅଧିକ ରହିଛି । କୁହାଯାଉଛି କି ତାଙ୍କ ନାମ ଫାଇନାଲ ହୋଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ଦୌଡରେ ସିପିଏଲ ଭଟି ବିକ୍ରମାର୍କ ଏବଂ ଅନ୍ୟ ସଦସ୍ୟ ରହିଛନ୍ତି । ତେବେ କିଏ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସିପିଏଲ ବୈଠକ ପରେ ବିଦ୍ଧିବଦ୍ଧ ଭାବେ ଘୋଷଣା ହେବ ।
ଆଗରେ ରେବନ୍ତ ରେଡ୍ଡୀ: ୧୯୬୯ ନଭେମ୍ବର ୮ ତାରିଖରେ ମେହେବୁବନଗର କୋଣ୍ଡାରେଡ୍ଡିରେ ଜନ୍ମଗ୍ରହଣ କରିଥିଲେ ଅନୁମୁଲା ରେବନ୍ତ ରେଡ୍ଡୀ । ଓସମାନିଆ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥଲେ ରେବନ୍ତ । ଏହି ସମୟରୁ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ । ତେଲୁଗୁ ଦେଶମ ପାର୍ଟି (TDP)ରୁ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ୩ ଥର ବିଧାୟକ ଏବଂ ଥରେ ସାଂସଦ ହୋଇଛନ୍ତି ରେଭାନ୍ତ । ୨୦୦୯ ଏବଂ ୨୦୧୪ରେ ଟିଡିପି ଟିକେଟରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ୨୦୧୭ ଅକ୍ଟୋବରରେ ଟିଡିପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ । ତେଲେଙ୍ଗାନାରେ କଂଗ୍ରେସ ବିଜୟରେ ରେବନ୍ତ ହିରୋ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ରେସରେ ତାଙ୍କ ନାମ ଆଗରେ ରହିଛି ।
ଏହା ବି ପଢନ୍ତୁ...ତେଲେଙ୍ଗାନା ଫାଇଟ୍ରେ କଂଗ୍ରେସ ହିରୋ ରେବନ୍ତ ରେଡ୍ଡି, ସରକାର ଗଠନରେ ନେବେ ମୁଖ୍ୟ ଭୂମିକା
ଆଜି ଶପଥ ଗ୍ରହଣ ସମାରୋହ ସମ୍ଭାବନା: ଆଜି ସିପିଏଲ ବୈଠକ ହେବ । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ବୋସୁରାଜ, ଅଜୟକୁମାର, ଜର୍ଜ, ଦୀପଦାସ ମୁଂଶୀ ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ବୈଠକରେ ସାମିଲ ହେବେ । ବିଧାୟକଙ୍କ ସହ ଆଲୋଚନା ପରେ ସିଏଲପି ଦ୍ବାରା ପ୍ରସ୍ତାବକୁ କଂଗ୍ରେସ ନେତୃତ୍ବକୁ ପଠାଯିବ । ଏହାପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ପଷ୍ଟ ହୋଇଯିବ । ଏହା ପରେ ରାଜ୍ୟପାଳଙ୍କ ସମ୍ମୁଖରେ ପ୍ରସ୍ତାବ ରଖାଯିବ । ସେପଟେ ସିଇଓ ବିଜୟୀ ବିଧାୟକଙ୍କ ଲିଷ୍ଟ ରାଜ୍ୟପାଳକୁ ପ୍ରଦାନ କରିଛନ୍ତି । ରାଜ୍ୟପାଳଙ୍କ ସୂଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ । ଯାହା ସୂଚନା ରହିଛି ଆଜି ଏଲପି ଷ୍ଟାଡିୟମରେ ସଂନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ହୋଇପାରେ । ତେଲେଙ୍ଗାନାର 119 ଆସନରୁ କଂଗ୍ରେସ 64 ଆସନରେ ବିଜୟୀ ହୋଇଛି ।