ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଁଏ ସହାୟତା ପ୍ରଦାନ କରିବ ଆନ୍ଧ୍ରପ୍ରଦେଶ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ଯୋଗେ ଏହି ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଜଗନ କହିଛନ୍ତି, ବାହାର ରାଜ୍ୟରୁ ଜୀବିକା ପାଇଁ ଆମ ରାଜ୍ୟକୁ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏପରି ପରିସ୍ଥିତିରେ ମାନବିକ ସହାୟତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ।
ଘଟଣା ଅନୁସାରେ ,ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କାବାଣି ଅଞ୍ଚଳରେ ଏକ ଚିଙ୍ଗୁଡ଼ି ଫେକ୍ଟ୍ରିରେ ବିଦ୍ୟୁତ ସଂସ୍ପର୍ଶରେ ଆସି 6 ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ମୃତକମାନେ କିଛି ମାସ ପୂର୍ବରୁ ସାଠାକୁ କାମ କରିବା ପାଇଁ ଯାଇଥିଲେ । ଗୁରୁବାର ଏହି ଅଘଟଣର ଶିକାର ହୋଇ ୬ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକଙ୍କ ମୃତଦେହ ଓଡିଶା ଫେରାଇ ଅଣାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ