ହାଇଦ୍ରାବାଦ: ଉତ୍ତରାଖଣ୍ଡ ଯୋଶୀମଠରେ ଦେଖାଯାଇଥିବା ଭୌଗଳିକ ବିପର୍ଯ୍ୟୟ ବର୍ତ୍ତମାନ ଏକ ଜାତୀୟ ପ୍ରସଙ୍ଗ ପରିଣତ ହୋଇଛି । ସାରା ଦେଶରେ ଏହାର ଅସ୍ତିତ୍ବର ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍ତରରେ ଏନେଇ ଏକାଧିକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ସେହିକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଗଠନ କରିଥିବା ବିଶେଷଜ୍ଞ କମିଟି ଅନୁଧ୍ୟାନ ଶେଷ କରିବା ପରେ ସରକାରଙ୍କ ନିକଟରେ ଏକାଧିକ ପରାମର୍ଶମୂଳକ ପ୍ରସ୍ତାବ ରଖିଛନ୍ତି (committee formed to stop Joshimath landslide submitted)।

କମିଟି ଦେଇଥିବା ପ୍ରଥମ ପ୍ରସ୍ତାବ ଅନୁଯାୟୀ ଅଧିକ କ୍ଷତିଗ୍ରସ୍ତ ଘରଗୁଡ଼ିକୁ ତୁରନ୍ତ ଚିହ୍ନଟ ସହ ଭାଙ୍ଗିବାକୁ ପଡ଼ିବ। ଭଙ୍ଗା ଆବର୍ଜନାକୁ ମଧ୍ୟ ତୁରନ୍ତ ଉକ୍ତ ସ୍ଥାନରୁ ହଟାଇବାକୁ ପଡିବ । ଦ୍ୱିତୀୟ ପ୍ରସ୍ତାବ ଅନୁସାରେ, ସୁରକ୍ଷା ଦୃଷ୍ଟିରୁ ବାସପଯୋଗୀ ନଥିବା ସ୍ଥାନକୁ ତୁରନ୍ତ ଚିହ୍ନଟ କରିବା ଓ ସେଠାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରିବାକୁ ହେବ । ସେହିପରି ଯେଉଁଠାରେ ଘର କ୍ଷତିଗ୍ରସ୍ତ ହେବା ପରେ ମଧ୍ୟ ପ୍ରଭାବିତମାନେ ରହୁଛନ୍ତି, ସେମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ଉପରେ 3ୟ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ।
କମିଟିର ଚତୁର୍ଥ ପ୍ରସ୍ତାବ ଅନୁଯାୟୀ, ଯୋଶୀମଠ ଅଞ୍ଚଳର ଭୂମିର ପୃଷ୍ଠଭାଗକୁ ଭଲ ଭାବେ ଜାଣିବା ପାଇଁ ବିଶେଷଜ୍ଞ କିମିଟି ଗଠନ କରି ଉଚ୍ଚସ୍ତରୀୟ ଭୌଗୋଳିକ ଅନୁସନ୍ଧାନ କରିବାକୁ ପଡ଼ିବ । 5ମରେ ଏହି ଅଞ୍ଚଳରେ ଭୂକମ୍ପର ସମ୍ଭାବ୍ୟ ସ୍ଥିତିକୁ ମଧ୍ୟ ନିରୀକ୍ଷଣ କରିବାକୁ ପଡିବ ବୋଲି ବିଶେଷଜ୍ଞ କିମଟି ତାର ପ୍ରସ୍ତାବରେ ସରକାରଙ୍କୁ ଅବଗତ କରିଛି ।
ବିଭିନ୍ନ ସଂସ୍ଥାର ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା 600ରୁ ଅଧିକ ଘର ପ୍ରଭାବିତ ହେବା ସହ ସେଥିରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇସାରିଛି । ସେଠାକାର ଲୋକେ ଏବେ ବହୁତ ଭୟଭୀତ ଅବସ୍ଥାରେ ରହିଛନ୍ତି । ଘର, ମନ୍ଦିର, ଡାକ୍ତରଖାନା ଏପରିକି ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ସହରର ସମସ୍ତ ଅସୁରକ୍ଷିତ କୋଠାକୁ ମଧ୍ୟ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ