ଚେନ୍ନାଇ: ଭାଲେଣ୍ଟାଇନ ଡେରେ ପ୍ରେମିକାକୁ ଦାମୀ ଉପହାର ଦେବାକୁ ଚିନ୍ତା କରିଥିଲେ ଯୁବକ । ଭାବିଥିଲେ ଉପହାର ଦେଇ ପ୍ରେମିକାକୁ ଖୁସି କରିବେ । କିନ୍ତୁ ଉପହାର ଦେବା ପୂର୍ବରୁ ପ୍ରେମିକ ହାତରେ ପଡିଲା ହ୍ୟାଣ୍ଡକପ । ଭାଲେଣ୍ଟାଇନ ଉପହାର ଦେବାକୁ ଛେଳି ଚୋରି କରୁଥିବା ବେଳେ ଧରାପଡି ଗଲା ପ୍ରେମିକ । ଶେଷରେ ପୋଲିସ ଯୁବକଙ୍କୁ ଗିରଫ କରିଛି । ତାମୁଲନାଡୁରେ ଏଭଳି ଘଟଣା ଘଟିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଅରବିନ୍ଦ କୁମାର ।
ଆଜି ଭାଲେଣ୍ଟାଇନ ଡେ' ଥିବାରୁ ଅରବିନ୍ଦ ପ୍ରେମିକାକୁ ଦାମୀ ଉପହାର ଦେବାକୁ ଭାବିଥିଲେ । କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ଚିନ୍ତାରେ ପଡିଯାଇଥିଲେ । ଶେଷରେ ଚୋରି କରି ପ୍ରେମିକାକୁ ଉପହାର ଦେବାକୁ ଚିନ୍ତା କରିଥିଲେ । ଏଥିପାଇଁ ଭିଲୁପୁରମ ଜିଲ୍ଲାର ପିରାଙ୍ଗମେଡୁ ମାଲାୟାରସନ ନିବାସୀ ରେଣୁଙ୍କ ଘରୁ ଛେଳି ଚୋରିବାକୁ ଚେଷ୍ଟା କରିଥିଲେ। ସେ ଓ ତାଙ୍କ ସାଙ୍ଗ ଛେଳି ଚୋରି କରିବା ସମୟରେ ମାଲିକଙ୍କ ହାତରେ ଧରାପଡି ଥିଲେ । ଏହା ପରେ ସ୍ଥାନୀୟ ଯୁବକ ତାଙ୍କୁ ପୋଲିସର ଜିମା ଦେଇଥିବା ସୂଚାନ ମିଳିଛି।
ଏନେଇ ଭିଲୁପୁରମ ପୋଲିସ କହିଛି ଯେ, ''ଅଭିଯୋଗକାରୀ ଜଣଙ୍କ ହେଉଛନ୍ତି ରେଣୁକା । ସେ ତାଙ୍କ ଘର ପଛପଟେ ଛେଳି ପାଳନ୍ତି । ଆଜି ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଘର ପଛପଟୁ ଛେଳି ଚୋରି କରିବାକୁ ଚେଷ୍ଟା କରିଥିଲେ । ଦୁଇ ଯୁବକ ଏକ ଛେଳି ଧରି ଯାଉଥିବା ସମୟରେ ରେଣୁକା ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଦୁଇ ଯୁବକଙ୍କୁ କାବୁ କରି ଚିତ୍କାର କରିବାକୁ ଲାଗିଲେ । ସ୍ଥାନୀୟ ଲୋକ ଏଅହା ଜାଣିପାରି ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଦୁଇ ଯୁବକ ଛେଳି ଚୋରି କରୁଥିବା ଜାଣିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀ ଦୁଇ ଯୁବକଙ୍କୁ ମାଡ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଗିରଫ କରିଥିଲା ।
ଅରବିନ୍ଦ ଜଣେ କଲେଜ ପଢୁଆ ଛାତ୍ର ହୋଇଥିବା ବେଳେ ଜଣେ ଯୁବତୀଙ୍କୁ ଭଲପାଆନ୍ତି । ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକାଙ୍କ ପାଇଁ ଉପହାର କିଣିବାକୁ ପାଖରେ ଟଙ୍କା ନ ଥିବାରୁ ସେ ଗୋଟିଏ ଛେଳି ଚୋରି କରି ତାକୁ ବିକ୍ରି କରିବା ପରେ ସେହି ଟଙ୍କାରେ ଉପହାର ଦେବାକୁ ଯୋଜନା କରିଥିଲେ । କିନ୍ତୁ ଧରା ପଡିଯିବା ପରେ ପୋଲିସ ଅରବିନ୍ଦ ଓ ତାଙ୍କ ସାଙ୍ଗଙ୍କୁ ଗିରଫ କରିଛି ।