ଲକ୍ଷ୍ନୌ: ଉତ୍ତରପ୍ରଦେଶ କୋତବାଲି ଥାନା ଅଞ୍ଚଳରେ ଥିବା ଆଦର୍ଶ ରାମସ୍ବରୂପ ଇଣ୍ଟର କଲେଜରେ ଛାତ୍ରଙ୍କ ଦବଙ୍ଗଗିରି । କଲେଜର ପ୍ରିନ୍ସିପାଲଙ୍କ ଉପରେ ଗୁଳି ଚାଳନା କରି (Student open fires at principal in Sitapur) ତାଙ୍କୁ ଲହୁଲୁହାଣ କରିଛନ୍ତି ଦ୍ବାଦଶ ଶ୍ରେଣୀର ଛାତ୍ର । ଏଭଳି କାଣ୍ଡ ଘଟାଇବା ପରେ ଛାତ୍ର ଜଣକ ଫେରାର ରହିଛି । ସେପଟେ ଗୁରୁତର ଆହତ ହୋଇଥିବା ପ୍ରିନ୍ସିପାଲଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର କଲେଜର ଦ୍ବାଦଶ ଶ୍ରେଣୀର ୨ ଜଣ ଛାତ୍ରଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ବିବାଦ ଉପୁଜିଥିଲା । ଦୁଇ ଜଣ ହାତାହାତି ମଧ୍ୟ ହୋଇଥିଲେ । ଏହି ଘଟଣାରେ ପ୍ରିନ୍ସିପାଲ ୨ ଛାତ୍ରୀଙ୍କ ଗାଳି କରିଥିଲେ । ଏଥିରେ ଗୁଳି ଚାଳନା କରିଥିବା ଛାତ୍ର ପ୍ରିନ୍ସିପାଲଙ୍କ ଉପରେ କ୍ରୋଧାନ୍ବିତ ରହିଥିଲା । ଏହାପରେ ସେ ଶନିବାର କଲେଜକୁ ଆସିଥିଲା । ପ୍ରିନ୍ସିପାଲ ରାମ ସିଂ ବର୍ମା ଏକ ନିର୍ମାଣଧୀନ କୋଠାର ନିରୀକ୍ଷଣ କରୁଥିବା ବେଳେ ଛାତ୍ର ଜଣକ ତାଙ୍କ ଉପରେ ଗୁଳିମାଡ଼ କରିଥିଲା ।
ଏହା ବି ପଢନ୍ତୁ- Terrorist Attack: ପୁଲୱାମାରେ ଆତଙ୍କୀ ହାମଲା, ୨ ପ୍ରବାସୀ ଶ୍ରମିକ ଆହାତ
ତେବେ ହଠାତ କଲେଜରେ ଗୁଳି ଚାଳନାର ଶବ୍ଦ ଶୁଣି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଭୟଭୀତ ହୋଇପଡ଼ିଥିଲେ । ଗୁଳି ପ୍ରିନ୍ସିପାଲଙ୍କ ମୁଣ୍ଡରେ ବାଜିଥିଲା । ଏତିକିରେ ଶାନ୍ତ ହୋଇନଥିଲା ଛାତ୍ରର କ୍ରୋଧ । ସେ ପୁଣି ପ୍ରିନ୍ସିପାଲଙ୍କ ପେଟ ଓ ଅଣ୍ଟା ନିକଟରେ ଗୁଳି ଚଳାଇଥିଲା । ଗୁଳି ବାଜିବା ପରେ ପ୍ରିନ୍ସିପାଲ ଗମ୍ଭୀର ରୂପରେ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ହସ୍ପିଟଲାକୁ ସ୍ଥାନାନ୍ତର କରାଯାଇଛି ।
ଏ ସମ୍ପର୍କରେ ଖବର ପାଇବା ପରେ ସଦରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଗୁଳି ଚାଳନା କରିଥିବା ଛାତ୍ର ଜଣକ ଫେରାର ଥିବା ବେଳେ ପୋଲିସ ତାକୁ ଖୋଜିବା ଲାଗି ଉଦ୍ୟମ କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।