ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ରାଜ୍ୟବାସୀଙ୍କୁ 300 ୟୁନିଟ ମାଗଣା ବିଦ୍ୟୁତ ଯୋଗାଇବେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଜାତୀୟ ମୁଖପାତ୍ର ଦୁଶ୍ୟନ୍ତ ଗୌତମ । କେଜ୍ରିୱାଲ ଉତ୍ତରାଖଣ୍ଡର ବିକାଶ ଚାହୁଁନାହାନ୍ତି ବୋଲି ଗୌତମ କହିଛନ୍ତି ।
ଆଗକୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ରହିଥିବାବେଳେ ଡେରାଡୁନ ଗସ୍ତରେ ଅଛନ୍ତି କେଜ୍ରିୱାଲ । ଏହି ଗସ୍ତରେ ସେ ଉତ୍ତରାଖଣ୍ଡକୁ 300 ୟୁନିଟ ମାଗଣା ବିଦ୍ୟୁତ ଯୋଗାଇବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଏହାକୁ ନେଇ କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି ବିଜେପି ଜାତୀୟ ମୁଖପାତ୍ର ଦୁଶ୍ୟନ୍ତ । ସେ କହିଛନ୍ତି ଯେ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ମାଗଣା ପିଇବା ପାଣି ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପାଣି ଯୋଗାଇନାହାନ୍ତି । ସେପଟେ ଡୋର ଟୁ ଡୋର ମଦ ଡେଲିଭର କରାଯାଉଛି । ଯମୁନା ନଦୀକୁ 5 ବର୍ଷ ମଧ୍ୟରେ ବିଶୁଦ୍ଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ମଧ୍ୟ ପୂରଣ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । କେଜ୍ରିୱାଲ ଜନତାଙ୍କ ଭରସାକୁ ହରାଇଛନ୍ତି ବୋଲି ସେ କହିଛନ୍ତି ।
ତେବେ ସୂଚନା ଥାଉ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆଜି ଡେରାଡୁନକୁ ଗସ୍ତ କରିବା ସମ୍ପର୍କରେ ଶନିବାର ସୂଚନା ଦେଇଥିଲେ । ଦିଲ୍ଲୀ ବିଦ୍ୟୁତ ଉତ୍ପାଦନ କରୁନଥିବାବେଳେ ଅନ୍ୟ ରାଜ୍ୟରୁ ବିଦ୍ୟୁତ କ୍ରୟ କରୁଛି । ତଥାପି ଦିଲ୍ଲୀ ସରକାର ସମସ୍ତଙ୍କୁ ମାଗଣା ସେବା ଯୋଗାଉଛନ୍ତି । ତେବେ ଉତ୍ତରାଖଣ୍ଡ ନିଜ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ କରୁଥିବାବେଳେ ନିଜ ରାଜ୍ୟବାସୀଙ୍କୁ କାହିଁକି ମାଗଣା ବିଦ୍ୟୁତ ଯୋଗାଇ ଦିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।
ସେପଟେ କେଜ୍ରିୱାଲଙ୍କ ଏହି ମନ୍ତବ୍ୟକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ସମସ୍ତଙ୍କୁ 24 ଘଣ୍ଟା ସେବା ଯୋଗାଇ ଦିଆଯାଉଛି । କିଛି ଲୋକ ନିର୍ବାଚନରେ ବିଜୟ ହେବା ପାଇଁ ଚାହୁଁଛନ୍ତି, କିନ୍ତୁ ଆମେ ରାଜ୍ୟର ବିକାଶ ଚାହୁଁଛୁ ବୋଲି ଧାମି କହିଛନ୍ତି । ତେବେ ସୂଚନା ଥାଉ କି ଆଗାମୀ ବର୍ଷ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଥିବାବେଳେ କେଜ୍ରିୱାଲ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । ଗତ ବୁଧବାର ଉତ୍ତରାଖଣ୍ଡ ଶକ୍ତିମନ୍ତ୍ରୀ ହରକ ସିଂ ରାୱତ ରାଜ୍ୟବାସୀଙ୍କୁ ପ୍ରତି ମାସରେ 100 ୟୁନିଟ ମାଗଣା ବିଦ୍ୟୁତ ସେବା ଯୋଗାଇବେ ବୋଲି କହିଥିଲେ ।
@ANI