ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସପରିବାର ସାକ୍ଷାତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସିନ୍ଦେଙ୍କ ସହ ତାଙ୍କ ବାପା, ସାଂସଦ ପୁଅ ଶ୍ରୀକାନ୍ତ ସିନ୍ଦେ, ବୋହୁ ଓ ନାତି ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ସିନ୍ଦେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଦୁଇଦିନ ତଳେ ମହାରାଷ୍ଟ୍ର ରାଇଗଡରେ ହୋଇଥିବା ଭୂସ୍ଖଳନ, ପରବର୍ତ୍ତୀ ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମ୍ପର୍କରେ ସିନ୍ଦେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଏବେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଅନେକ ଲୋକେ ପ୍ରଭାବିତ ହୋଇଛନ୍ତି । ବହୁ ଅଞ୍ଚଳ ଜଳବନ୍ଦୀ ହୋଇଛି । ସାମ୍ପ୍ରତିକ ବନ୍ୟା ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇଛି । ରାଇଗଡରେ ହୋଇଥିବା ଭୂସ୍ଖଳନରେ ଧନଜୀବନ ହାନୀ ହେବା ଘଟଣାରେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ କେନ୍ଦ୍ର ସରକାର ସମସ୍ତ ସହଯୋଗ କରିବା ନେଇ ଆଶ୍ବସନା ଦେଇଥିବା ମଧ୍ୟ ସିନ୍ଦେ କହିଛନ୍ତି ।
ସେହିପରି ରାଜ୍ୟର କୃଷକଙ୍କ ସମସ୍ୟା ସହ ରାଜଧାନୀ ମୁମ୍ବାଇରେ ଥିବା ବିଶ୍ବର ବୃହତ୍ତମ ବସ୍ତି ଧରାବିର ଉନ୍ନତିକରଣ ପ୍ରକଳ୍ପ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ନେଇ ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିବା ସିନ୍ଦେ କହିଛନ୍ତି । ମୁମ୍ବାଇରେ ଥିବା ଏହି ବସ୍ତିରେ ଭିତ୍ତିଭୂମି ଓ ଉନ୍ନତିକରଣ ପ୍ରକଳ୍ପର କାର୍ଯ୍ୟ ଆଦାନୀ ସମୂହ ନେଇଛି ।
ସିନ୍ଦେ କହିଛନ୍ତି, ରାଜ୍ୟବାସୀଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ସବୁ କାର୍ଯ୍ୟକ୍ରମ ସଠିକ ଭାବେ କାର୍ଯ୍ୟକାରୀ ହୋଇ ନିର୍ଦ୍ଧାରିତ ସୟମରେ ଶେଷ ହେବା ନେଇ ସମସ୍ତ ଆଲୋଚନା ହୋଇଛି । ଏସବୁ ପାଇଁ କେନ୍ଦ୍ର ସରକାର ସମସ୍ତ ସହଯୋଗ ଜାରି ରଖିଛନ୍ତି । ଏହା ସଫଳତାର ସହ ଶେଷ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶାବାଦୀ ମଧ୍ୟ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ:-Maharashtra: ଭୂସ୍ଖଳନରେ 16 ମୃତ, ଫସି ରହିଛନ୍ତି ଶତାଧିକ
20 ତାରିଖରେ ମହାରାଷ୍ଟ୍ର ରାଇଗଡ ଜିଲ୍ଲାର ଖାଲପୁର ତହସିଲ ଅନ୍ତର୍ଗତ ଏକ ଗ୍ରାମରେ ଭୂସ୍ଖଳନରେ 16 ଜଣଙ୍କ ମୃତ୍ୟୁ ହୋଇଥିଲା । ଶତାଧିକ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲଗାଣ ବର୍ଷା ପରେ 20 ତାରିଖ ରାତି ପ୍ରାୟ 11ଟାରେ ଏହି ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରିଥିଲେ । ମୃତକଙ୍କ ପରିବାରକୁ 5 ଲକ୍ଷର ଅନୁକମ୍ପା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ