ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ(Maharastra Politics) ପୁଣି ଥରେ ହଲଚଲ ଯୋରଦାର ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Cm Eknath shinde) ସଂଧ୍ୟାରେ ମୁମ୍ବାଇ ଛାଡି ଦିଲ୍ଲୀ ଗସ୍ତ ଅଭିମୁଖେ ଆସିଛନ୍ତି । ଏହାବାଦ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଷ୍ଚ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟାଳୟ (RSS Headquater) ପହଞ୍ଚିଛନ୍ତି । ଦେବେନ୍ଦ୍ର ସେଠି ସଂଘ ପ୍ରମୁଖ ମୋହନ ଭାଗବତଙ୍କୁ ସାକ୍ଷାତ କରି ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ତେବେ ହଠାତ ସଂଘ ମୁଖ୍ୟଙ୍କୁ କାହିଁକି ଦେବେନ୍ଦ୍ର ସାକ୍ଷାତ କରିଛନ୍ତି ସ୍ପଷ୍ଚ ହୋଇନାହିଁ ।
ଆଜି ସକାଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଏକ ବଡ ବୈଠକ ବସିଥିଲା । ବୈଠକରେ ଶିବସେନାର 12 ଜଣ ସାଂସଦ ଭର୍ଚୁଆଲ ଯୋଗେ ସାମିଲ ହୋଇଥିଲେ । ବୈଠକର ନିଷ୍ପତି ଅନୁସାରେ ଏହି ସାଂସଦ ମାନେ ଆସନ୍ତାକାଲି ବିଦ୍ଧିବଧ ଭାବେ ଉଦ୍ଧବ ଠାକରେଙ୍କ କ୍ୟାମ୍ପ ଛାଡି ଏକନାଥଙ୍କ ଗୋଷ୍ଠୀରେ ସାମିଲ ହେବେ । ଯାହା ଆସନ୍ତାକାଲି ନୂଆଦିଲ୍ଲୀରେ ଘୋଷଣା ହେବ । କୁହାଯାଉଛି ଏଥିପାଇଁ ଏକନାଥ ସିନ୍ଦେ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି ।
ଏହାରି ମଧ୍ୟରେ ଆସନ୍ତା 20 ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହେବା ପରେ ମନ୍ତ୍ରୀ ମଣ୍ଡଳର ରୂପରେଖ ପ୍ରସ୍ତୁତ ହେବ । କାରଣ ସିନ୍ଦେ ଗୋଷ୍ଠୀର 16 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଛି । ସୁପ୍ରିମକୋର୍ଟଙ୍କ ରାୟ ଉପରେ ସିନ୍ଦେ-ଫଡନାଭିସ ସରକାର ଭବିଷ୍ୟତ ସ୍ଥିର ହେବ । ତେବେ ହଠାତ ଆଜି ଉଭୟ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସଙ୍କ ତ୍ବରିତ କାର୍ଯ୍ୟକ୍ରମ ଦେଖି ଏହା ଅନୁମେୟ ଯେ ମଙ୍ଗଳବାର ଉଦ୍ଧବଙ୍କୁ ଆଉ ଏକ ବଡ ଝଟକା ଲାଗିପାରେ ।