ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ବଜେଟ ପାରିତ କରିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦୀର୍ଘ ଦିନ ଧରି ହୋଇ ଆସୁଥିବା ଅଞ୍ଚଳବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ୧୯ଟି ନୂଆ ଜିଲ୍ଲା ଗଠନ ନେଇ ଘୋଷଣା କରିଛନ୍ତି । ଏହି ନୂଆ ଜିଲ୍ଲାକୁ ମିଶାଇ ରାଜ୍ୟରେ ମୋଟ ଜିଲ୍ଲା ସଂଖ୍ୟା ୫୦ରେ ପହଞ୍ଚିଛି । ଏହାସହ ସିକର, ବାଂସୱାଡା ଓ ପାଲିକୁ ନୂଆ ଡିଭିଜନ ଭାବେ ଘୋଷଣା କରିଥିବା ବେଳେ ମୋଟ ଡିଭିଜନାଲ ହେଡକ୍ବାର୍ଟର ସଂଖ୍ୟା ୧୦ରେ ପହଞ୍ଚିଛି ।
ମୁଖ୍ୟମନ୍ତ୍ରୀ ନିଜ ବଜେଟ ଅଭିଭାଷଣରେ ବିଧାୟକ ମଦନ ପ୍ରଜାପତ୍ଙ୍କୁ ସମ୍ବୋଧିତ କରିବା ପରେ ବାଲୋତରାକୁ ନୂଆ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ନୂଆ ଜିଲ୍ଲା ଗଠନ ନେଇ ବଜେଟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଜୟପୁର ଓ ଯୋଧପୁରକୁ ୨-୨ ଲେଖାଏଁ ନୂଆ ଜିଲ୍ଲାରେ ବିଭକ୍ତ କରାଯାଇଛି । ଯେପରିକି ଜୟପୁର ଉତ୍ତର ଓ ଜୟପୁର ଦକ୍ଷିଣ ଏବଂ ଯୋଧପୁର ପୂର୍ବ ଓ ଯୋଧପୁର ପଶ୍ଚିମ ଜିଲ୍ଲା ଭାବେ ଘୋଷଣା କରାଯାଇଛି ।
ଏହା ବି ପଢନ୍ତୁ- ଆକ୍ରମଣକାରୀଙ୍କ ଉନ୍ମତ୍ତକାଣ୍ଡ, ବାପା ଆଗରେ ଚାଲିଗଲା ୬ବର୍ଷ ପୁଅର ଜୀବନ
ମୁଖ୍ୟମନ୍ତ୍ରୀ ଗେହଲଟ ନୂଆ ଜିଲ୍ଲା ଘୋଷଣା କରିଥିବା ଜିଲ୍ଲାଗୁଡ଼ିକର ନାମ ହେଉଛି ଅନୁପଗଡ଼, ବାଲୋତରା, ବ୍ୟାୱର, ଡିଗ, ଡିଡୱାନା-କୁଚାମନ, ଦୁଦୁ, ଗଙ୍ଗାପୁର ସିଟି, ଜୟପୁର ଉତ୍ତର, ଜୟପୁର ଦକ୍ଷିଣ, ଯୋଧପୁର ପୂର୍ବ, ଯୋଧପୁର ପଶ୍ଚିମ, କେକଡି, କୋଟପୁତଲି-ବହରୋଡ, ଖୈରଥଲ, ନିମ କା ଥାନା, ଫଲୌଦି, ସଲୁମ୍ବର, ସାଞ୍ଚୌର, ଶାହାପୁର (ଭିଲୱାଡା) ।
ରାଜସ୍ଥାନରେ ୧୫ବର୍ଷ ପରେ ନୂଆ ଜିଲ୍ଲାର ଗଠନ ହୋଇଛି । ଗତ ୪ବର୍ଷ ଧରି ନୂଆ ଜିଲ୍ଲା ଗଠନ ଲାଗି ରାଜସ୍ଥାନରେ ଦାବି ହୋଇଆସୁଥିଲା । ମୁଖ୍ୟମନ୍ତ୍ରୀ ଗେହଲଟ ବିଧାନସଭାରେ ବଜେଟ ଅଭିଭାଷଣ ରଖିବା ସମୟରେ ୩ଟି ନୂଆ ଡିଭିଜନ ଓ ୧୯ଟି ଜିଲ୍ଲାର ନାମ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଜିଲ୍ଲା ସ୍ତରରୁ ଲୋକଙ୍କ ନିକଟରେ ସମସ୍ତ ପ୍ରକାର ସୁବିଧା ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛନ୍ତି । ଏପରିକି ଦେଶରେ ରାଜସ୍ଥାନ ଏକ ବଡ଼ ରାଜ୍ୟ । ଏଠାରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲା ମଧ୍ୟରେ ଦୂରତା ପ୍ରାୟ ୧୦୦କିମି । ଏଥିଲାଗି ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ନୂଆ ଜିଲ୍ଲା ଗଠନ କରାଯାଇଛି । ନୂଆ ଜିଲ୍ଲା ଗଠିତ ହୋଇଥିବା ସ୍ଥାନରେ ଅଧିକ ଜନସଂଖ୍ୟା ରହିଥିବା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।