ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତରପ୍ରଦେଶରେ ହେବ ବିଧାନସଭା ନିର୍ବାଚନ (UP Assembly Polls) । ସିଟ୍ ହାତେଇବା ପାଇଁ ଦଳ ଦଳ ମଧ୍ୟରେ ଆରମ୍ଭ ହେଲାଣି କସରତ । ଏଥିରୁ ବାଦ ପଡିନି ଆପ । ୟୁପିରେ ନିର୍ବାଚନ ଲଢିବା ପାଇଁ ଦଳ କସରତ ଆରମ୍ଭ କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ଗସ୍ତ କରୁଛନ୍ତି । ସେହିପରି ଆଜି ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଉତ୍ତରପ୍ରଦେଶ ଗସ୍ତରେ ଯାଇ ଲକ୍ଷ୍ନୌରେ ଏକ ଏମ୍ପ୍ଲଏମେଣ୍ଟ ଗ୍ୟାରେଣ୍ଚି ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଆଶିୟାନାର ସ୍ମୃତି ଉପବନ ପରିସରରେ ଏହି ରାଲିର ଆୟୋଜନ କରାଯାଇଛି ।
ଆଜି ହେବାକୁ ଥିବା ଏହି ରାଲି ଏକ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ରାଜ୍ୟ ଦାୟିତ୍ବରେ ଥିବା ସଞ୍ଜୟ ସିଂ । ଏହି ରାଲିରେ ରାଜ୍ୟର ମୁଦ୍ରାସ୍ଫୀତି, ବେକାରୀ, ବିଦ୍ୟୁତ୍, ଜଳ, ଶିକ୍ଷା, ମହିଳାଙ୍କ ସମସ୍ୟା ଏବଂ ଆଇନ କାନୁନ ସମସ୍ୟା ସାମ୍ନାକୁ ଆଣି ଏହି ସବୁ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପୃଷ୍ଠଭୂମି ପ୍ରସ୍ତୁତ କରିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ କେଜ୍ରିଓ୍ବାଲଙ୍କ ସମ୍ବୋଧନ ଶୁଣିବାକୁ ଏବେ ରାଜ୍ୟବାସୀ ଅନାଇ ବସିଛନ୍ତି । ଉତ୍ତରପ୍ରଦେଶରେ ବେକାରି ସମସ୍ୟା ନେଇ କେଜ୍ରିଓ୍ବାଲ ଏକ ବଡ ଘୋଷଣା ମଧ୍ୟ କରିପାରନ୍ତି । ୟୁପିରେ ବଢୁଥିବା ବେକାରି ସମସ୍ୟା ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି ମୁଦ୍ରାସ୍ପିତି, ଢିଲା ଆଇନ କାନୁନ ବ୍ୟାବସ୍ଥା, ଭ୍ରଷ୍ଟାଚାରକୁ ନେଇ ୟୁପି ସରକାରଙ୍କ ଉପରେ ରାଜ୍ୟବାସୀ ଏବେ ସନ୍ତୁଷ୍ଟ ନାହାନ୍ତି ।
ତେବେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ଲୋକେ ଏବେ ଆମ ଆଦମି ପାର୍ଟି ଉପରେ ବିଶ୍ବାସ ରଖିଛନ୍ତି ବୋଲି କହିଛନ୍ତି ସଞ୍ଜୟ ସିଂ । ତେବେ ଆଜି ହେବାକୁ ଥିବା ସମାବେଶ କେଜ୍ରିଓ୍ବାଲଙ୍କ ସବୁଠାରୁ ବଡ ସମାବେଶ ବୋଲି କୁହାଯାଉଛି ।