ହ୍ବାଟ୍ସଆପ୍, ଦେଶର ସଂଖ୍ୟାଧିକ ମୋବାଇଲ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହି ଲୋକପ୍ରିୟ ମେସେଜିଂ ଆପ୍ର ପରିଚୟ ପ୍ରଦାନର ଆବଶ୍ୟକତା ନାହିଁ । ଆମ ଦେଶ ହେଉଛି ଏଭଳି ଏକ ଦେଶ, ଯେଉଁଠି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା 70 କୋଟି ଟପି ସାରିଲାଣି ଏବଂ ଏବେ ବି ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଆମ ଦେଶର ପ୍ରାୟ 40 କୋଟି ଲୋକ ହ୍ବାଟ୍ସଆପ୍ ବ୍ୟବହାର କରନ୍ତି । ଏଥିରୁ ଭାରତରେ ଏହି ଆପ୍ର ଲୋକପ୍ରିୟତା ସଂପର୍କରେ ସ୍ପଷ୍ଟ ସଂକେତ ମିଳେ । ଏତେ ଲୋକଙ୍କ ଜୀବନଚର୍ଯ୍ୟାରେ ଏଭଳି ଗଭୀରତାକୁ ପ୍ରବେଶ କରିସାରିଥିବା ଏହି ଆପ୍, ନିକଟରେ ଏହାର ଗୋପନୀୟତା ନୀତି ବା ‘ପ୍ରାଇଭେସି ପଲିସି’ରେ ପରିବର୍ତ୍ତନ କରିବା ସହିତ ଯେଉଁମାନେ ଏହି ନୂତନ ନୀତିକୁ 2021 ଫେବ୍ରୁଆରୀ 8 ତାରିଖ ସୁଦ୍ଧା ଗ୍ରହଣ ନକରିବେ ସେମାନେ ଆଉ ଏହି ଆପ୍ ବ୍ୟବହାର କରିପାରିବେ ନାହିଁ ବୋଲି ଘୋଷଣା କରିଛି ।
ସାରା ବିଶ୍ବର 200 କୋଟିରୁ ଅଧିକ ବ୍ୟବହାରକାରୀଙ୍କୁ ଚକିତ ଓ ନିରାଶ କରି ପ୍ରକାଶ ପାଇଥିବା ହ୍ବାଟ୍ସ୍ଆପ୍ର ଏହି ନୂତନ ନୀତିରେ ଉଲ୍ଲେଖ କରାଯାଇଛି ଯେ, ଏଣିକି ହ୍ବାଟ୍ସ୍ଆପ୍କୁ ପ୍ରଦତ୍ତ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ଏହାର ମାଲିକ କମ୍ପାନୀ ଫେସ୍ବୁକ୍ ଏବଂ ଏହା ସହିତ ସଂପର୍କିତ ଅନ୍ୟ କମ୍ପାନୀମାନଙ୍କୁ ଦିଆଯାଇପାରିବ । ଏହା ପରେ ଅନେକ ବ୍ୟବହାରକାରୀ ବିକଳ୍ପ ଆପ୍ ସନ୍ଧାନରେ ଅଛନ୍ତି । କାରଣ, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଉପଲବ୍ଧ ହେଲେ ଏହାକୁ ଯେ କୌଣସି ଇଣ୍ଟରନେଟ୍ ବ୍ୟବହାରକାରୀ ସହଜରେ ପାଇପାରିବେ ବୋଲି ସେମାନେ ଆଶଙ୍କା କରୁଛନ୍ତି । ଫଳରେ ଅନେକ ହ୍ବାଟ୍ସ୍ଆପ୍ ବ୍ୟବହାରକାରୀ ସିଗ୍ନାଲ ଓ ଟେଲିଗ୍ରାମ ଭଳି ଅନ୍ୟ ଆପ୍ ବ୍ୟବହାର କରିବା ଆରମ୍ଭ କରିଦେଲେଣି । ସ୍ବାଭାବିକ ଭାବେ, ଏହା ହ୍ବାଟ୍ସଆପ୍ ପାଇଁ ଏକ ଚିନ୍ତାର କାରଣ ହୋଇଛି । କେନ୍ଦ୍ର ସରକାର ମଧ୍ୟ ହ୍ବାଟ୍ସଆପ୍ର ଏହି ପ୍ରାଇଭେସି ପଲିସି ପ୍ରତ୍ୟାହାର କରିନେବାକୁ କହିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ସଂପର୍କରେ ନିରବ ରହିଥିଲେ ହେଁ ହ୍ବାଟ୍ସଆପ୍ ଏହି ନୂତନ ପଲିସି କାର୍ଯ୍ୟକାରୀ କରିବା ତାରିଖକୁ ମେ 15 ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି । ଏହି ପ୍ରମୁଖ ସୋସିଆଲ ମିଡିଆ ସଂସ୍ଥାର କହିବା କଥା ଯେ ସେହି ତାରିଖ ସୁଦ୍ଧା ସେମାନେ ଏହି ନୂତନ ନୀତିର ସୁରକ୍ଷିତ ଦିଗ ସଂପର୍କରେ ବ୍ୟବହାରକାରୀଙ୍କୁ ଆଶ୍ବସ୍ତ କରାଇ ଦେଇପାରିବେ । ଏଥିରୁ ଏହି ନୂତନ ନୀତି ପ୍ରସଙ୍ଗରେ ହ୍ବାଟସ୍ଆପ୍ ଯେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଦୃଢ଼ପ୍ରତିଜ୍ଞ, ତାହା ସ୍ପଷ୍ଟ ବୁଝିହୁଏ ।
ହ୍ବାଟ୍ସ୍ଆପ୍ର ଏହି ନୂତନ ପ୍ରାଇଭେସି ପଲିସି ବିରୋଧରେ ଜଣେ ଆଇନଜୀବୀଙ୍କ ଦ୍ବାରା ଆଗତ ଏକ ମାମଲାକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ସୋସିଆଲ ମେସେଜିଂ ଆପ୍ର ନୂତନ ନୀତିକୁ ଗ୍ରହଣ କରିବା ବା ନକରିବା ଏକ ସ୍ବେଚ୍ଛାଧୀନ ବିଷୟ ଏବଂ ଯେ କୌଣସି ବ୍ୟକ୍ତି ଏହାକୁ ବ୍ୟବହାର ନକରିବାକୁ ବା ଏହି ପ୍ଲାଟ୍ଫର୍ମରେ ଯୋଗ ନଦେବାକୁ ପସନ୍ଦ କରିପାରିବେ । ହେଲେ, ଏ ପ୍ରସଙ୍ଗ ଏତେ ସମ୍ବେଦନଶୀଳ ଯେ ଏତିକିରେ ଏହାକୁ ଶେଷ କରିଦେବା ଠିକ୍ ନୁହେଁ । ନିକଟରେ ତଥ୍ୟର ସୁରକ୍ଷା ସଂପର୍କରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଅନ୍ୟ ଏକ ଆବେଦନ ବି ଚର୍ଚ୍ଚାରେ ରହିଥିଲା ।
ବ୍ୟକ୍ତିଗତ ତଥ୍ୟ ଚୋରି ଏବଂ ଡାଟାର ଅତିରିକ୍ତ ସୁରକ୍ଷା ସଂପର୍କିତ ଅଭିଯୋଗକୁ ହ୍ବାଟ୍ସ୍ଆପ୍ ଖଣ୍ଡନ କରିଛି । କିଏ କେଉଁ ପ୍ରକାରର ନୀତି ଅବଲମ୍ବନ କଲୁଛି ତାହା ଭିନ୍ନ କଥା । ହେଲେ ନାଗରିକମାନଙ୍କର ଗୋପନୀୟ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା କ୍ଷେତ୍ରରେ ଅବହେଳା ଅକ୍ଷମଣୀୟ । ଏଠାରେ ସ୍ମରଣଯୋଗ୍ୟ ଯେ, 2017 ମସିହାରେ ସୁପ୍ରିମ କୋର୍ଟ ଏକ ରାୟରେ କହିଥିଲେ ଯେ, ଜୀବନର ଅଧିକାର, ସମାନତାର ଅଧିକାର ଏବଂ ବାକ୍ ଓ ଅଭିବ୍ୟକ୍ତିରେ ସ୍ବାଧୀନତାର ଅଧିକାର ସଦୃଶ ବ୍ୟକ୍ତିଗତ ଗୋପନୀୟତାର ଅଧିକାର ବି ଜଣେ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର । ଲୋକଙ୍କ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା କରିବା ପାଇଁ ଅଦାଲତ ସରକାରଙ୍କୁ କହିଥିଲେ ।
ବିଶ୍ବର 90ରୁ ଅଧିକ ଦେଶରେ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ପାଇଁ ସଶକ୍ତ ଆଇନ ପ୍ରଣୟନ କରାଯାଇଛି । ଏଭଳି ଆଇନ ମଧ୍ୟରୁ, ୟୁରୋପୀୟ ସଂଘ ଦ୍ବାରା ପ୍ରଣୀତ ‘ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେସନ’ (GDPR)କୁ ଗୁଣାତ୍ମକ ଦୃଷ୍ଟିରୁ ଉତ୍ତମ ବୋଲି ବିବେଚନା କରାଯାଏ । ସେସବୁ ଦେଶରେ ହ୍ବାଟ୍ସ୍ଆପ୍, ଏହାର ବ୍ୟବହାରକାରୀଙ୍କ ତଥ୍ୟ ଫେସ୍ବୁକ୍କୁ ଦେଇପାରିବ ନାହିଁ । ହେଲେ, ଭାରତରେ ଏଭଳି ଶକ୍ତିଶାଳୀ ଆଇନ ପ୍ରଚଳିତ ହୋଇ ନଥିବାରୁ ହ୍ବାଟ୍ସଆପ୍ ଏହାର ସୁଯୋଗ ନେବାକୁ ଉଦ୍ୟମ କରୁଛି । ସରକାର ହ୍ବାଟ୍ସଆପ୍ର ଏହି ଯୋଜନାକୁ ସଫଳ କରାଇବାକୁ ବାଟ ଛାଡ଼ିଦେବା ଉଚିତ ନୁହେଁ ।
ଅନ୍ୟ କୌଣସି ଉଦ୍ଦେଶ୍ୟରେ ନାଗରିକମାନଙ୍କର ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ରୋକିବା ପାଇଁ ସରକାର ତୁରନ୍ତ ଏକ ଆଇନ ପ୍ରଣୟନ କରିବା ଉଚିତ । ବିଶେଷଜ୍ଞମାନଙ୍କ ମତରେ, 2019 ଡିସେମ୍ବରରେ ସଂସଦରେ ଆଗତ ହୋଇଥିବା ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ଏତେଟା ସୁଦୃଢ଼ ନୁହେଁ । ହ୍ବାଟ୍ସଆପ୍ର ନୂତନ ନୀତିକୁ କେନ୍ଦ୍ର କରି ଉପୁଜିଥିବା ବିବାଦର ଅନ୍ତ ଘଟାଇବା ଦିଗରେ GDPR ସଦୃଶ ଏକ ସଶକ୍ତ ଆଇନ ପ୍ରଣୟନ ହିଁ ସର୍ବୋତ୍ତମ ହେବ ।