ଚଣ୍ଡିଗଡ: ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଦେଶରେ ଜାରି ରିହଥିବା ସ୍ଥିତିକୁ ଦେଖିଲେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)କୁ ଆହୁରି ପ୍ରଭାବଶାଳୀ ତଦନ୍ତକାରୀ ସଂସ୍ଥାରେ ପରିଣତ କରିବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀମାନଙ୍କୁ ନେଇ ହରିୟାଣା ସୁରଜକୁଣ୍ଡରେ ଆରମ୍ଭ ହୋଇଥିବା ୨ ଦିନିଆ ଚିନ୍ତନ ଶିବରକୁ ସମ୍ବୋଧିତ କରି ଏହା କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah announces more teeth to NIA) ।
ଆଜି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ସମ୍ମିଳନୀକୁ ସମ୍ବୋଧିତ କରି ଶାହ କହିଛନ୍ତି, ବର୍ତ୍ତମାନ ସମୟରେ ଆଭ୍ୟନ୍ତରୀଣ ଆତଙ୍କବାଦ ଏକ ପ୍ରମୁଖ ଆହ୍ବାନରେ ପରିଣତ ହୋଇଛି । ଏଥିପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର କ୍ଷମତା ପରିସରକୁ ଆହୁରି ପ୍ରଭାବୀ କରିବାକୁ ପଡିବ । ତେଣୁ ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ରାଜ୍ୟରେ ସଂସ୍ଥାର ଶାଖା ଖୋଲିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ଶାହ ସିଧାସଳଖ କିଛି ବେସରକାରୀ ସଂସ୍ଥା (NGO) ସାମାଜିକ କାର୍ଯ୍ୟ ଆଳରେ ଦେଶର ବିକାଶରେ ବାଧା ସୃଷ୍ଟି କରିବା ସହ ଅସ୍ଥିରତା ମଧ୍ୟ ସୃଷ୍ଟି କରିବାରେ ଲାଗିଛନ୍ତି ବୋଲି କହିଛନ୍ତି । ଏହିପରି କିଛି ସଂସ୍ଥା ବିରୋଧରେ କେନ୍ଦ୍ର ସରକାର ଗତ ଦିନରେ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି ବୋଲି ଶାହ କହିଛନ୍ତି ।
ଏପରି ଅଭିଯୋଗ ପରେ ଏକାଧିକ ସଂସ୍ଥାର ବିଦେଶୀ ପାଣ୍ଠି ସଂଗ୍ରହ ପଞ୍ଜୀକରଣ ଖାରଜ କରାଯାଇଛି (FCRA registration)। ଏମାନେ ଧର୍ମାନ୍ତରୀକରଣ ପରି କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିପରି ଏହି ଦିଗରେ ଭାରତୀୟ ଦଣ୍ଡବିଧି ଆଇନ ଓ ଅପରାଧୀ ମାନକ ସଂହିତା (CrPC and IPC)ରେ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି ସମ୍ପର୍କିତ ଏକାଧିକ ପ୍ରସ୍ତାବ ମଧ୍ୟ ଆସିଛି । ସେ ଦିଗରେ ସରକାରୀ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏନେଇ ଖୁବ ଶୀଘ୍ର ଏକ ଚିଠା ପ୍ରସ୍ତାବ କେନ୍ଦ୍ର ସରକାର ସଂସଦରେ ଆଣିବାକୁ ଯାଉଥିବା ଶାହ ସୂଚନା ମଧ୍ୟ ଦେଇଛନ୍ତି ।
ସେହିପରି କାଶ୍ମୀରରେ ଧାରା-୩୭୦ ଉଚ୍ଛେଦ ପରେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ୩୪ ପ୍ରତିଶତ ହ୍ରାସ ପାଇଥିବା ବେଳେ ସୁରକ୍ଷାବଳର ଯବାନଙ୍କ ପ୍ରାଣହାନୀ ଘଟଣା ୬୪ ପ୍ରତିଶତ ହ୍ରାସ ପାଇଛି । ସେହିପରି ସାଧାରଣ ନାଗରିକଙ୍କ ହତ୍ୟାକାଣ୍ଡ ଘଟଣା ମଧ୍ୟ ୯୦ ପ୍ରତିଶତ ହ୍ରାସ ପାଇଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ତେବେ ଏହି ଚିନ୍ତନ ଶିବିରରେ ଦେଶର ଅନ୍ତରୀଣ ସୁରକ୍ଷା, ସୀମାପାର ଆତଙ୍କବାଦ, ସାଇବର କ୍ରାଇମ, ନିଶା କାରବାର, ଶୋଷଣ ଆଦିକୁ ପ୍ରଭାବୀ ଭାବେ ଦମନ କରିବାର ମିଳିତ କାର୍ଯ୍ୟପନ୍ଥା ସ୍ଥିର କରିବାର ଆବଶ୍ୟକତା ରହିଛି ବୋଲି ଶାହ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ