ନୂଆଦିଲ୍ଲୀ: ଋଷ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସମଗ୍ର ବିଶ୍ବରେ ଅନ୍ତର୍ଜାତୀୟ ସମୀକରଣ ଓ ପାରସ୍ପାରିକ ସମ୍ପର୍କରେ ପ୍ରଭାବ ପକାଇବାରେ ଲାଗିଥିବାବେଳେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଚୀନ ବୈଦଶିକ ମନ୍ତ୍ରୀ । ଦୁଇ ଦିିନିଆ ଭାରତ ଗସ୍ତରେ ଆସୁଥିବା ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ଓ୍ବାଇ ଆଜି (ଗୁରୁବାର) ଆଉ କିଛି ସମୟ ପରେ ଦିଲ୍ଲୀରେ ପହଞ୍ଚିବେ ।
ଓ୍ବାଙ୍ଗ ଓ୍ବାଇଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଆଲୋଚନା କରିବା ସହ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ପ୍ରସଙ୍ଗ ସ୍ଥାନ ପାଇବା ନେଇ ସୂଚନା ରହିଛି । ତେବେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଓ ଏହାର ସମାଧାନ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବା ନେଇ ଅନୁମାନ କରାଯାଉଛି । ସେହିପରିି ଆଗାମୀ ଦିନରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ବେଜିଂ ଗସ୍ତ କରି ସୀମା ବିବାଦ ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିପାରନ୍ତି ଆଶା କରାଯାଉଛି ।
ଏହି ମନ୍ତ୍ରୀସ୍ତରୀୟ ଆଲୋଚନା ସଫଳ ହେଲେ ପ୍ରଧାନମନ୍ତ୍ରୀ ମୋଦି ଚୀନରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିବା ସମ୍ଭାବନା ମଧ୍ୟ ପ୍ରକାଶ ପାଇଛି । ସେହିପରି ବର୍ତ୍ତମାନ ୟୁକ୍ରେନ ସଙ୍କଟ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହ ଭାରତର ଦ୍ବିପାକ୍ଷିକ ସମ୍ପର୍କରେ ପୂର୍ବାପେକ୍ଷା ସମାନ୍ୟ ପରିବର୍ତ୍ତନ ଆସିଥିବାବେଳେ ଚୀନ ବିଦେଶ ମନ୍ତ୍ରୀଙ୍କ ଏହି ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।
ଋଷର ଆକ୍ରମଣକୁ ଏକାଧିକ ଦେଶ ନିନ୍ଦା କରିଥିବାବେଳେ ଏକାଧିକ ଆର୍ଥିକ କଟକଣା ମଧ୍ୟ ଲାଗାଇଛନ୍ତି । ଭାରତ କିନ୍ତୁ ଏହି ପ୍ରସଙ୍ଗରେ କୌଣସି ଗୋଟିଏ ପକ୍ଷକୁ ଏକକ ସମର୍ଥନ ନକରି କେବଳ ଶାନ୍ତି ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦୋହରାଇ ଆସିଛି । ଏହାରି ମଧ୍ୟରେ ଭାରତ ଋଷ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁ ବୋଲି ପରୋକ୍ଷରେ କିଛି ପଶ୍ଚିମ ରାଷ୍ଟ୍ର ପ୍ରୟାସ ମଧ୍ୟ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ