ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟର ମୁକାବିଲା କରୁଥିବା ଭାରତ ସହ ଛିଡା ରହିଥିବା ନେଇ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ଚୀନ । ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, ଚୀନ ସହ ବ୍ରିକ୍ସର ସମସ୍ତ ସଦସ୍ୟ ଦେଶ କୋଭିଡ ମହାମାରୀର ଦ୍ବିତୀୟ ଲହରୀ ବିରୋଧରେ ଚାଲିଥିବା ଯୁଦ୍ଧରେ ଭାରତକୁ ସମର୍ଥନ କରିବା ସହ ସହଯୋଗର ହାତ ବଢାଇବେ ।
ବ୍ରିକ୍ସ ଦେଶର ବୈଦେଶିକ ମନ୍ତ୍ରୀ ବୈଠକରେ ୱାଙ୍ଗ ୟି କହିଛନ୍ତି, କୋରୋନାର ନୂଆ ଲହରୀରର ସାମ୍ନା କରୁଥିବା ଭାରତ ପାଇଁ ପୁନର୍ବାର ନିଜର ସମ୍ବେଦନା ପ୍ରକଟ କରୁଛୁ । ଏହି କଠିନ ପରିସ୍ଥିତିରେ ଚୀନ କେବଳ ଭାରତ ସହ ନାହିଁ, ବରଂ ସମସ୍ତ ବ୍ରିକ୍ସ ଦେଶ ସହ ଛିଡାହୋଇଛି ।
ଯେଉଁଠି ଭାରତର କଥା ଆସୁଛି, ସେଠି ଚୀନ ସହ ବ୍ରିକ୍ସର ସମସ୍ତ ସହଯୋଗୀ ଦେଶ କୌଣସି ବି ସମୟରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି । ଭାରତ ନିଶ୍ଚିତ ଭାବରେ ମହାମାରୀରୁ ମୁକୁଳିବ ବୋଲି କହିଛନ୍ତି ଚୀନ ବୈଦେଶିକମନ୍ତ୍ରୀ ।
ବ୍ରିକ୍ସ ବିଶ୍ବରେ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥ ବ୍ୟବସ୍ଥାର ଏ ଶକ୍ତିଶାଳୀ ସମୁହ । ଏଥିରେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ ଅଛନ୍ତି । ବ୍ରିକ୍ସର ଉଦ୍ଦେଶ୍ୟ ହେଉଛି ଶାନ୍ତି, ନିରାପତ୍ତା, ବିକାଶ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା । ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ।