ବେଜିଂ: ଭାରତୀୟଙ୍କ ପାଇଁ ଖୁସି ଖବର । ଭାରତୀୟଙ୍କ ଉପରେ ଲଗାଇଥିବା ଭିସା କଟକଣାକୁ ହଟାଇଛି ଚୀନ । ଦେଶର ଅଲଗା ଅଲଗା ସହରରେ କାମ କରୁଥିବା ଭାରତୀୟ କର୍ମଜୀବୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୁଣି ଭିସା ଦେବ ବୋଲି ଘୋଷଣା କରିଛି ଚୀନ । କୋରୋନା ମହାମାରୀ ପାଇଁ ଭିସା କଟକଣା ଯୋଗୁଁ ୨ ବର୍ଷ ହେବ ଚୀନ ଯାଇପାରୁନଥିଲେ ଲୋକେ ଏହି ନିଷ୍ପତ୍ତି ୨୦୨୦ରୁ ଭାରତ ଫେରିଥିବା ଲୋକଙ୍କୁ ଆଶ୍ବସ୍ତି ଦେଇଛି । ଏହା ସହ ଚୀନ ବିଶ୍ବ ବିଦ୍ୟାଳୟରେ ପାଠ ପଢୁଥିବା ହଜାର ହଜାର ଭାରତୀୟ ଛାତ୍ରଙ୍କ ଦାବି ଉପରେ ବିଚାର କରାଯାଇଥିବା କୁହାଯାଇଛି ।
ଏହା ବ୍ୟତୀତ ଅନେକ ଲୋକ ମଧ୍ୟ ଚୀନରେ ଫସି ରହିଥିଲେ । ଗତମାସରେ ଚୀନରେ ବସବାସ କରୁଥିବା ଅନେକ ଲୋକ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କରକୁ ଏନେଇ ଅନୁରୋଧ କରିଥିଲେ । ତେବେ ପର୍ଯ୍ୟଟନ ଏବଂ ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ଭିସା ସ୍ଥଗିତ ରହିଛି ବୋଲି ଚୀନ୍ ଦୂତାବାସ ଘୋଷଣା କରିଛି । ଭିସା କଟକଣା ହଟିବା ଫଳରେ ଲକଡାଉନ ପୂର୍ବରୁ ଚୀନରେ କାମ କରୁଥିବା ଭାରତୀୟ ପୁନଃ ଚୀନ ଯାଇପାରିବେ । ତେବେ ବର୍ତ୍ତମାନ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବିମାନ ଯାତାୟତ ନିମନ୍ତେ ଘୋଷଣା କରିନାହିଁ ।