କୋଲକାତା: ପଶ୍ଚିମବଙ୍ଗରେ ବିରୋଧର ସ୍ବର ଦମନ ପାଇଁ ପୋଲିସକୁ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି ରାଜ୍ୟରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ସରକାର । ରାଜ୍ୟରେ ପୂନର୍ବାର ଦେଖିବାକୁ ମିଳିଛି ପୋଲିସର ବର୍ବରତା । ମମତା ସରକାରଙ୍କ ବିରୋଧରେ ସିଲିଗୁଡିରେ ଚାଲିଥିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ପ୍ରଦର୍ଶନ । ତେବେ ଏହାରି ମଧ୍ୟରେ ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଅତର୍କିତ ଲାଠି ଚାର୍ଜ ସହ ପାଣିମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ତେବେ ପୋଲିସର ଏହି ବର୍ବରତାରେ ବିଜେପି ଯୁବମୋର୍ଚ୍ଚାର ଜଣେ କର୍ମୀ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସିଲିଗୁଡିର ଟିନବାଟ୍ଟିରେ ପ୍ରଦର୍ଶନ କରିଥିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂସଦ ତେଜସ୍ବୀ ସୂର୍ଯ୍ୟାଙ୍କ ନେତୃତ୍ବରେ ପ୍ରଦର୍ଶନ ଚାଲିଥିବା ବେଳେ ପୋଲିସ ପାଣିମାଡ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏଥିରେ ଅନେକ କର୍ମୀ ଆହତ ହୋଇଥିଲେ । ତେବେ ଏମାନଙ୍କ ମଧ୍ୟରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ତେବେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଦେହାନ୍ତ ପୋଲିସ ବୋମାମାଡ କାରଣରୁ ହୋଇଥିବା ତେଜସ୍ବୀ କହିଛନ୍ତି ।
ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟାଙ୍କ କହିବା ଅନୁଯାୟୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ ଅନେକ ବିଜେପି କର୍ମୀ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗରେ ଗଣତନ୍ତ୍ରର ହତ୍ୟା କରାଯାଉଛି । ତେବେ ମମତା ବାନାର୍ଜୀ ସରକାରଙ୍କ ପୋଲିସ ବୋମା ଫିଙ୍ଗିବା ଯୋଗୁଁ ଯୁବମୋର୍ଚ୍ଚାର ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂର୍ଯ୍ୟା ଅଭିଯୋଗ ଆଣିଛନ୍ତି ।