ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କୋରୋନା ମହାମାରୀ । ଏଭଳି ସ୍ଥିତିରେ ଏହି ସଙ୍କଟର ମୁକାବିଲା ଏବଂ ‘କଣ୍ଟେନ୍ମେଣ୍ଟ୍’ପଦକ୍ଷେପ ଗ୍ରହଣ ପାଇଁ କେନ୍ଦ୍ର ସରକାର ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ ପାଇଁ ଅଗ୍ରୀମ ଭାବେ ପ୍ରଥମ କିସ୍ତିରେ ୮,୮୭୩.୬ କୋଟି ଟଙ୍କା ରିଲିଜ୍ କରିଛି । ଏପଟେ ରାଜ୍ୟ ସରକାର କୋଭିଡ ‘କଣ୍ଟେନ୍ମେଣ୍ଟ୍’ପଦକ୍ଷେପ ନିମନ୍ତେ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ର ୫୦% ବ୍ୟବହାର କରିପାରିବେ। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ କରି ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିବା ସମୟରେ ସରକାର ଏହି ପାଣ୍ଠି ରିଲିଜ୍ କରିଛନ୍ତି।
8,873 କୋଟି ଟଙ୍କାର ଅଧା ଅର୍ଥାତ 4,436 କୋଟି ଟଙ୍କା କୋଭିଡ -19 କଣ୍ଟେନ୍ମେଣ୍ଟ ପାଇଁ ବ୍ୟବହାର କରାଯାଇପାରିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଏକ ସ୍ବତନ୍ତ୍ର ବ୍ୟବସ୍ଥା ଭାବରେ ବ୍ୟୟ ବିଭାଗ, ଅର୍ଥ ମନ୍ତ୍ରଣାଳୟର ସୁପାରିଶ କ୍ରମେ 2021-22 ବର୍ଷ ପାଇଁ ସମସ୍ତ ରାଜ୍ୟକୁ ଆଗୁଆ ଏହି ଅର୍ଥ ପ୍ରଦାନ କରିଛି। ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ର ପ୍ରଥମ କିସ୍ତି ସାଧାରଣତଃ ଜୁନ୍ ମାସରେ ରିଲିଜ୍ କରାଯାଇଥାଏ। କିନ୍ତୁ ରାଜ୍ୟମାନେ କୋଭିଡି-୧୯ ବିସ୍ତାର ଭଳି ଭୀଷଣ ସଙ୍କଟର ମୁକାବିଲା କରୁଥିବାରୁ ବିଧିଗତ ବ୍ୟବହାରିକ ପ୍ରମାଣପତ୍ରକୁ ଅପେକ୍ଷା ନ କରାଯାଇ ଏହି ଅର୍ଥରାଶି ରିଲିଜ କରାଯାଇଛି।
ଡାକ୍ତରଖାନାରେ ଅକ୍ସିଜେନ୍ ପ୍ରସ୍ତୁତି ଓ ସଂରକ୍ଷଣ ପ୍ଲାଣ୍ଟ୍, ଭେଣ୍ଟିଲେଟର୍, ଏୟାର୍ ପ୍ୟୁରିଫାୟର୍, ଆମ୍ବୁଲାନ୍ସ୍ ସେବାକୁ ମଜବୁତ କରିବା, ପି.ପି.ଇ., ଟେଷ୍ଟିଙ୍ଗ୍ ଲାବ୍ରୋଟରି, ଟେଷ୍ଟିଙ୍ଗ୍ କିଟ୍, କଣ୍ଟେନ୍ମେଣ୍ଟ୍ ଜୋନ୍ ଭଳି କୋଭିଡ୍-୧୯ ‘କଣ୍ଟେନ୍ମେଣ୍ଟ୍’ ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପ ନିମନ୍ତେ ରାଜ୍ୟମାନେ ଏହି ପାଣ୍ଠି ଉପଯୋଗ କରିପାରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ