ନୂଆଦିଲ୍ଲୀ: ସମଗ୍ର ଦେଶରେ ୨୦ରୁ ଅଧିକ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (All India Institute Of Medical Sciences) ରହିଛି । ଏମ୍ସକୁ କେବଳ ତାର ସାଧାରଣ ନାମ ସହ ସେହି ଅଞ୍ଚଳର ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତ ଏମ୍ସର ବ୍ୟକ୍ତିଗତ ନାମ ରଖିବାକୁ ସ୍ଥିର କରାଯାଇଛି । ଦିଲ୍ଲୀ ସମେତ ଦେଶର ୨୩ଟି ଏମ୍ସର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ବର ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ
ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀ, ସ୍ଥାନୀୟ ଐତିହାସିକ ଘଟଣା କିମ୍ବା ସ୍ମାରକୀ ନାମରେ ନାମିତ ହେବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି (AIIMS to be named after local heros, monuments) । କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଣାଳୟଙ୍କ (union ministry of health and family welfare) ପରାମର୍ଶ ପରେ ମୋଟ ୨୩ଟି ଏମ୍ସର ନାମ ତାଲିକା ଦାଖଲ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଏପରି ସ୍ଥିତିରେ ଖୁବ ଶୀଘ୍ର କେନ୍ଦ୍ର ସରକାର ଏମ୍ସର ନାମ ପରିବର୍ତ୍ତନ କରିବେ ।
ସୂଚନା ଥାଉକି, ନୂଆଦିଲ୍ଲୀ ଏମ୍ସ ଅନୁଷ୍ଠାନ ୧୯୫୬ ମସିହାରେ ପ୍ରତିଷ୍ଠା ହୋଇଥିଲା । ସେହି ଦିନଠାରୁ ଦେଶରେ ୨୪ରୁ ଅଧିକ ସ୍ଥାନରେ ଏମ୍ସ ଖୋଲିବାକୁ ଘୋଷଣା କରାଯାଇଥିଲା । ତେବେ ଜାନୁଆରୀ ୨୦୨୨ ସୁଦ୍ଧା ଦେଶରେ ୧୯ଟି ଅନୁଷ୍ଠାନ କାର୍ଯ୍ୟ କରୁଥିବା ବେଳେ ୨୦୨୫ ସୁଦ୍ଧା ଅନ୍ୟ ୫ଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଥିବା ସୂଚନା ମିଳିଛି ।