ନୂଆଦିଲ୍ଲୀ: ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ନେଇ ଭାରତର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଏଲ-କାଏଦା । ଏହି ଧମକକୁ ଗମ୍ଭୀରତାର ସହ ନେଇଛନ୍ତି ବିଭିନ୍ନ ଜାତୀୟ ଏଜେନ୍ସି । ରାଜଧାନୀ ଦିଲ୍ଲୀ ସମେତ ବାଣିଜ୍ୟକ ରାଜଧାନୀ ମୁମ୍ବାଇ, ଉତ୍ତର ପ୍ରଦେଶ, ଗୁଜୁରାଟରେ ଆତ୍ମଘାତୀ ଆକ୍ରମଣ କରାଯିବା ବୋଲି ସଂଗଠନ ଧମକ ଦେଇଥିଲା ।
ଏହି ସବୁ ସ୍ଥାନରେ ଆଗୁଆ ସୁରକ୍ଷା ବଢାଯାଇଛି । ଗୁଇନ୍ଦା ଏବଂ ଅନ୍ୟ ସୁରକ୍ଷା ସମ୍ପର୍କିତ ଜାତୀୟ ଏଜେନ୍ସିଂଗୁଡିକ ଆକ୍ସନ ମୋଡକୁ ଆସିଛନ୍ତି । 4 ରାଜ୍ୟର ଗୁରୁତୂପୂର୍ଣ୍ଣ ସହରଗୁଡିକର ବିମାନ ବନ୍ଦର, ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ, ବଜାର ଆଦି ପରି ଭିଡ ତଥା ବ୍ୟସ୍ତବହୁଳ ସ୍ଥାନରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପାଇଁ ଆଲର୍ଟ ଜାରି କରାଯାଇଛି । କୌଣସି ସନ୍ଦେହଜନକ ଗତିବିଧି ନେଇ ଆଶଙ୍କା କିମ୍ବା ସୂଚନା ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ହୋଇଛି ।
ଏହି ଘଟଣା ନେଇ ଅନେକ ଆରବ ରାଷ୍ଟ୍ର ଆପତ୍ତି ଉଠାଇଥିବା ବେଳେ ଜୁନ 6 ତାରିଖରେ ଏକ ପତ୍ର ମାଧ୍ୟମରେ ଅଲ-କାଏଦା ଆକ୍ରମଣ ଧମକ ଦେଇଥିଲା । ଇସଲାମ ମହାପୁରୁଷ ମହମ୍ମଦଙ୍କ ସମ୍ମାନରେ ଏହି ଆକ୍ରମଣ ଭାରତ ରାଜଧାନୀ ଦିଲ୍ଲୀ, ମୁମ୍ବାଇ, ଉତ୍ତର ପ୍ରଦେଶ ଏବଂ ଗୁଜୁରାଟରେ କରାଯିବ ବୋଲି ସଂଗଠନ କହିଥିଲା । ସେହିପରି ଭାରତୀୟ ଜନତା ପାର୍ଟିକୁ ଗେରୁଆ ଆତଙ୍କବାଦୀ (Safran terrorist ) ବୋଲି ସଂଗଠନ ଧମକରେ ଉଲ୍ଲେଖ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ