ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିପୁର ସୀମାରେ ଗତ 3 ମାସ ଧରି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ତେବେ ସେମାନେ ଆନ୍ଦୋଳନ କରୁଥିବା ସ୍ଥାନରେ ଅସ୍ଥାୟୀ ଶୌଚାଳୟ ଓ ସିସିଟିଭି କ୍ୟାମେରା ସ୍ଥାପନ କରିଥିବା ଦେଖିବାକୁ ମିଳିଛି ।
ଦେଶର ଚାଷୀମାନେ କୃଷି ଆଇନକୁ ବିରୋଧ କରି ପ୍ରାୟ 84 ଦିନ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ମୋଦି ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ଲକ୍ଷ୍ୟ କରି ଆନ୍ଦୋଳନକାରୀମାନେ ଗାଜିପୁର ସୀମାରେ ଅସ୍ଥାୟୀ ଶୌଚାଳୟ ସ୍ଥାପନ କରିବା ସହିତ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇଥିବା ଆନ୍ଦୋଳନରତ ଚାଷୀ ଦିନେଶ ଶର୍ମା କହିଛନ୍ତି ।
ସେ ଏକ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି ଯେ ଆମ ପ୍ରଧାନମନ୍ତ୍ରୀ ସର୍ବଦା ସ୍ବଚ୍ଛତା ସମ୍ପର୍କରେ କହିଥାନ୍ତି । ଏଣୁ ଗାଜିପୁର ସୀମାକୁ ସ୍ବଚ୍ଛ ରଖିବା ପାଇଁ ଅସ୍ଥାୟୀ ଶୌଚାଳୟ ସ୍ଥାପନ କରାଯାଇଛି । ସେପଟେ ଗତ କିଛି ଦିନ ପୂର୍ବେ ଦୁର୍ବୃତ୍ତମାନେ ଚାଷୀଙ୍କୁ ର୍ଦୁବ୍ୟବହାର ବ୍ୟହାର କରିଥିଲେ । ତେବେ ସେମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଥିବା ସେ କହିଛନ୍ତି । ଆଗକୁ ଚାଷୀମାନେ ସୀମାରେ ପନିପରିବା ଚାଷ କରିବାକୁ ଯୋଜନା କରୁଥିବା ଜଣାପଡିଛି ।
ଏ ସମ୍ପର୍କରେ ସେ କହିଛନ୍ତି ଯେ କୃଷି ଆଇନ ବିରୋଧରେ କେନ୍ଦ୍ର ସରକାରଙ୍କ ସହିତ ଏକ ଲମ୍ବା ଲଢେଇ ଲଢିବାକୁ ଥିବାରୁ ସୀମାରେ ଥିବା ଖାଲି ଜମିରେ ସେମାନେ ପନିପରିବା ଚାଷ କରିବାକୁ ଯୋଜନା କରିଛନ୍ତି । ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଯେତେ ଦିନ ସମୟ ନିଅନ୍ତୁ, କିନ୍ତୁ ଚାଷୀମାନେ ସେମାନଙ୍କ ଅଧିକାର ନେବା ବିନା ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସେ କହିଛନ୍ତି ।
ଆନ୍ଦୋଳନ ସ୍ଥାନରେ ଆନ୍ଦୋଳନରତ ଚାଷୀଙ୍କୁ ଏକାଧିକ ବାର ଆକ୍ରମଣ ହେବା ପରେ ମଧ୍ୟ ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁନାହାନ୍ତି । ଏଠାରେ ସ୍ଥାପନ କରାଯାଇଥିବା ସିସିଟିଭି କ୍ୟାମେରା ଆଗକୁ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରିବ ବୋଲି ଆନ୍ଦୋଳନରତ ଚାଷୀ ବିରେନ୍ଦ୍ର ସିଂ କହିଛନ୍ତି ।
@ANI