ନୂଆଦିଲ୍ଲୀ: ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗାଇଡଲାଇନ ଜାରି କରିଛି ସିବିଏସଇ(CBSE) । ୨ଟି ପର୍ଯ୍ୟାୟରେ ଅଫଲାଇନରେ ହେବ ପରୀକ୍ଷା । ପ୍ରଥମ ପରୀକ୍ଷା ନଭେମ୍ବର-ଡିସେମ୍ବରରେ ହେବାକୁଥିବାବେଳେ ମାର୍ଚ୍ଚ-ଏପ୍ରିଲରେ ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା । ଅକ୍ଟୋବର ୧୮ରେ ପ୍ରକାଶ ପାଇବ ପରୀକ୍ଷା ତାରିଖ ।
୨୦୨୧-୨୨ ବର୍ଷର ଦଶମ, ଦ୍ବାଦଶ ଶ୍ରେଣୀ ପାଠ୍ୟ ଖସଡ଼ା ଘୋଷଣା କରିଥିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE) । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଏଥର ପାଠ୍ୟ ଖସଡାରେ ନୂଆ ପରିବର୍ତ୍ତନ ହୋଇଛି । ଦଶମ ଓ ଦ୍ବାଦଶ ବୋର୍ଡ ପାଇଁ ଏହି ଶିକ୍ଷାବର୍ଷକୁ 2ଟି ଭାଗରେ ଭାଗ କରାଯାଇଛି । ୫୦ ପ୍ରତିଶତ ଲେଖାଏଁ ପାଠ୍ୟକ୍ରମକୁ ନେଇ ୨ଟି ଭାଗରେ ହେବ ପରୀକ୍ଷା ।
ମହାମାରୀ କୋରୋନା କାଳରେ ପରୀକ୍ଷା ସୁନିଶ୍ଚିତ କରାଇବାକୁ ଲକ୍ଷ୍ୟ ରଖିଛି ସିବିଏସଇ । କୋରୋନା ସଂକ୍ରମଣ କାରଣରୁ ସିବିଏସଇ ସମେତ ବିଭିନ୍ନ ବୋର୍ଡର ପରୀକ୍ଷାକୁ ବାତିଲ କରିବାକୁପଡିଥିଲା ।