କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି(SSC Hiring Scam) ମାମଲାରେ ଆଉ ଦୁଇ ଜଣ ଗିରଫ । ବୁଧବାର ଦୁଇ ସ୍କୁଲ ସର୍ଭିସ କମିଶନ(SSC) ଅଫିସରଙ୍କୁ ଗିରଫ କରାଯାଇଛି । ଏମାନେ ହେଲେ ଏସଏସସି(ସ୍କୁଲ ସେବା ଆୟୋଗ)ର ପୂର୍ବତନ ଅଧ୍ୟକ୍ଷ ଅଶୋକ ଶାହା ଓ ପୂର୍ବତନ ପରାମର୍ଶଦାତା ଶାନ୍ତି ପ୍ରସାଦ ସିହ୍ନା । ଏହି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ କିଛି ଘଣ୍ଟା କାଳ ଜେରା କରାଯିବା ପରେ ଗିରଫ କରାଯାଇଥିବା ସୂଚନା ମିଳିଛି ।
କୋଲକାତା ହାଇକୋର୍ଟ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଅନେକ ଥର ଅଶୋକ ଶାହା ଓ ସିହ୍ନାଙ୍କୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପଚରାଉଚରା କରିଛି । ବୁଧବାର ମଧ୍ୟ ସେମାନଙ୍କୁ ଦୀର୍ଘ ସମୟ ଧରି ଜେରା କରାଯାଇଥିଲା ଏବଂ ଏହାପରେ ଗିରଫ କରାଯାଇଛି । ତେବେ ପୂର୍ବରୁ ଏହି ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହୋଇଛନ୍ତି । ଅର୍ପିତାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଚଢାଉ କରି ନଗଦ ୨୦ କୋଟିରୁ ଅଧିକ ଟଙ୍କା ଜବତ କରିବା ପରେ ସେ ଗିରଫ ହୋଇଛନ୍ତି ।