ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନୀ ମହାସଂଗ୍ରାମରେ ପଡିଛି ପୂର୍ଣ୍ଣଛେଦ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ବୃହତ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ହେଲେ ଚ୍ୟାଲେଞ୍ଜ ଲଗାଇ ନନ୍ଦିଗ୍ରାମରୁ ନିର୍ବାଚନ ଲଢିଥିବା ମମତା ବାନାର୍ଜୀଙ୍କ ପରାଜୟ ଦଳକୁ କରିଛି ନିରାଶ ।
ରାଜ୍ୟରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଟିଏମସି । ତେବେ ଦଳୀୟ ବୈଠକରେ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଏହାରି ମଧ୍ୟରେ 5 ମେ’ ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ଦିଦି । ହେଲେ ପରାଜୟ ପରେ ବି କିଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ମମତା ବାନାର୍ଜୀ ?
ମୁଖ୍ୟମନ୍ତ୍ରୀ ପାଇଁ ମମତାଙ୍କ ପାଖରେ କଣ ରହିଛି ରାସ୍ତା ?
ମମତା ବାନାର୍ଜୀଙ୍କ ପାଖରେ ଏବେ ବି ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ଖୋଲା ରହିଛି । ଏହି ରାସ୍ତା ତାଙ୍କୁ ଭାରତୀୟ ସମ୍ବିଧାନର ଅନୁଛେଦ 164(4)ରୁ ମିଳିପାରେ । ଏହି ଅନୁଛେଦ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଯଦି କେଉଁ ରାଜ୍ୟର ମନ୍ତ୍ରୀ ହୁଅନ୍ତି, ତେବେ ତାଙ୍କୁ ଶପଥ ଗ୍ରହଣର ଆଗାମୀ 6 ମାସ ଭିତରେ ଗୋଟିଏ ବିଧାନସଭା ନିର୍ବାଚନୀମଣ୍ଡଳୀ ନିର୍ବାଚିତ ପ୍ରତିନିଧି କିମ୍ବା ବିଧାନପରିଷଦ ସଦସ୍ୟ ଭାବରେ ଚୟନ ହୋଇ ଆସିବାକୁ ପଡିବ ।
ଅନୁଛେଦ 164(4) ଅନୁଯାୟୀ, ରାଜ୍ୟର କୌଣସି ମନ୍ତ୍ରୀ ଯଦି 6 ମାସ ମଧ୍ୟରେ ରାଜ୍ୟର କୌଣସି ବିଧାନସଭା ସଦସ୍ୟ ହୋଇ ନପାରୁଛନ୍ତି ତେବେ ତାଙ୍କୁ ନିଜ ପଦ ଛାଡିବାକୁ ପଡିବ । ସମ୍ବିଧାନର ଏହି ପ୍ରାବଧାନ ଜରିଆରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ମମତା ବାନାର୍ଜୀ ।
ଏହା ପୂର୍ବରୁ କେଉଁ ମୁଖ୍ୟମନ୍ତ୍ରୀ ହୋଇନଥିଲେ ବିଧାୟକ ?
ଏହାପୂର୍ବରୁ ମଧ୍ୟ ଅନେକ ନେତା ବିଧାୟକ ଭାବେ ନିର୍ବାଚିତ ନହୋଇ ମଧ୍. ରାଜ୍ୟର ମୁ୍ଖ୍ୟମନ୍ତ୍ରୀ ପଦ ସମ୍ଭାଳିସାରିଛନ୍ତି । ଏଥିରେ ଉତ୍ତରପ୍ରଦେଶରୁ ରାଜନାଥ ସିଂହ, ମୁଲାୟମ ସିଂହ ଯାଦବ, ମାୟାବତୀ, ଅଖିଳେଶ ଯାଦବ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ଅଛନ୍ତି । ବିହାରର ଲାଲୁ ପ୍ରସାଦ ଯାଦବ, ରାବିଡି ଦେବୀ, ଓ ନୀତିଶ କୁମାର ଭଳି ଅନେକ ଉଦାହରଣ ରହିଛନ୍ତି ।
ନିକଟରେ ଉତ୍ତରାଖଣ୍ଡର ମୁ୍ଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ନହୋଇ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ।
ସିଟିଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ହୋଇଛି ପରାଜୟ
ଏଭଳି ପୂର୍ବରୁ ଅନେକ ଘଟଣା ଘଟିଛି ଯେଉଁଥିରେ ରାଜ୍ୟର ମୁ୍ଖ୍ୟମନ୍ତ୍ରୀ ନାମାଙ୍କନ ଦାଖଲ କରିଥିବା ନିର୍ବାଚନୀମଣ୍ଡଳୀରୁ ହୋଇଛନ୍ତି ପରାଜୟ । 2017ରେ ଗୋଆର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାରସେକର ହାରିଯାଇଥିଲେ ନିର୍ବାଚନ । ହେଲେ ବିଜେପି ତାଙ୍କ ନେତୃତ୍ବରେ ସରକାର ଗଠନ ନକରି ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ।
2009ରେ ଝାଡଖଣ୍ଡରେ ଘଟିଥିଲା ରୋଚକ ଘଟଣା । ନିର୍ବାଚନ ନଲଢି ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବୁ ସୋରେନ । ହେଲେ 6 ମାସ ମଧ୍ୟରେ ଏକ ଉପନିର୍ବାଚନରେ ସେ ହାରିଯାଇଥିଲେ । ଏଥିପାଇଁ ତାଙ୍କୁ ପଦ ହରାଇବାକୁ ପଡିଥିଲା । ଆଉ ଏହାପରେ ରାଜ୍ୟରେ ଲାଗିଥିଲା ରାଷ୍ଟ୍ରପତି ଶାସନ ।