କୋଲକାତା: ଆଜି(ଗୁରୁବାର) ବହୁଚର୍ଚ୍ଚତ ନାରଦା ଷ୍ଟିଙ୍ଗ ମାମଲାକୁ ନେଇ ହେବାକୁ ଥିବା ଶୁଣାଣିକୁ ହାଇକୋର୍ଟ ସ୍ଥଗିତ ରଖିଛନ୍ତି । ବୁଧବାର ଶୁଣାଣି ହେବା ମାତ୍ରେ 2 ପକ୍ଷର ଆଇନଜୀବୀଙ୍କ ମଧ୍ୟରେ 2 ଘଣ୍ଟା ବାଦବିବାଦ ହେବା ପରେ ବିଚାରପତି ଏହି ମାମଲାର ଶୁଣାଣି ଗୁରୁବାର ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ ।
ଘଟଣାର ଶୁଣାଣି ଗୁରୁବାର ଅପରାହ୍ନ 2ଟା ସମୟରେ ହେବାକୁ ଥିବା ବେଳେ ପୂର୍ବରୁ ଏହାକୁ ସ୍ଥଗିତ ଘୋଷଣା କରାଯାଇଛି । ବର୍ତ୍ତମାନ ଗିରଫ ହୋଇଥିବା 4 ଟିଏମସି ନେତା ସିବିଆଇ ହେପାଜତରେ ରହିଛନ୍ତି । କ୍ୟାମେରା ସମ୍ମୁଖରେ ଲାଞ୍ଚ ନେଉଥିବା କାରଣରୁ ଟିଏମସି ଦଳର 4 ନେତା ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ, ଶୋଭନ ଚାଟାର୍ଜୀ, ମଦନ ମିତ୍ର ଓ ଫିରହାଦ ହାକିମଙ୍କୁ ସିବିଆଇ ଗିରଫ କରିଥିଲା । ଏହାକୁ ନେଇ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଥିଲା ହାଇଡ୍ରାମା ।
ଏହି 4 ନେତା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ପ୍ରାୟ 6 ଘଣ୍ଟା ଧରି ଆଲୋଚନା କରିଥିଲେ । ଏହାପରେ ସିବିଆଇ ଗିରଫଙ୍କୁ ଜାମିନ ଦେଇଥିବା ବେଳେ ତଦନ୍ତକାରୀ ଟିମ ମାମଲାଲକୁ ହାଇକୋର୍ଟକୁ ନେଇଥିଲେ । ହାଇକୋର୍ଟ କିନ୍ତୁ ସେମାନଙ୍କ ଜାମିନ ଉପରେ ରୋକ ଲଗାଇବା ସହିତ ସେମାନଙ୍କୁ ପ୍ରେସିଡେନ୍ସି କୋର୍ଟକୁ ପଠାଇଥିଲା । ବୁଧବାର ମାମଲାର ଶୁଣାଣି ସମୟରେ 2 ପକ୍ଷର ଆଇନଜୀବୀଙ୍କ ମଧ୍ୟରେ 2 ଘଣ୍ଟା ଧରି ପ୍ରତିବାଦ ହେବା ପରେ ବିଚାରପିତ 5 ମିନିଟ ବ୍ରେକ ନେଇ ମାମଲାର ଶୁଣାଣି ଗୁରୁବାର ହେବ ବୋଲି କହିଥିଲେ ।
ତେବେ ସୂଚନା ଥାଉ କି 2014 ମସିହାରେ ଟିଏମସିର ସାତଜଣ ସାଂସଦ, 4 ଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୋଲିସ କର୍ମଚାରୀ ଲାଞ୍ଚ ନେବା ସମୟରେ କ୍ୟାମେରା କଏଦ ହୋଇଥିଲା । ଏହି ଭିଜୁଆଲକୁ ନାରଦା ଗଣମାଧ୍ୟମ ସଂସ୍ଥା 2016 ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ରିଲିଜ କରିଥିଲା । ଦୀର୍ଘ 4 ବର୍ଷ ପରେ ଏହି ଘଟଣାକୁ ନେଇ ସିବିଆଇ ସେମାନଙ୍କୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ