ନୂଆଦିଲ୍ଲୀ: ସଂସଦରେ ଚାଲିଛି ବଜେଟ ଅଧିବେଶନ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଚର୍ଚ୍ଚା ଆଜି ବି ଜାରି ରହିବ । ଆଜି (ସୋମବାର) ସନ୍ଧ୍ୟାରେ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବର ବିତର୍କ ଉପରେ ଉତ୍ତର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆସନ୍ତାକାଲି(ମଙ୍ଗଳବାର)ରେ ରାଜ୍ୟସଭାରେ ପ୍ରସ୍ତାବ ଉପରେ ଉତ୍ତର ଦେବା ନେଇ ସୂଚନା ମିଳିଛି । ରାଜ୍ୟସଭାରେ ୩ ଦିନ ହେବ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବିତର୍କ ପାଖାପାଖି 12 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ଏହି ଚର୍ଚ୍ଚା କାରଣରୁ ସତ୍ତା ପକ୍ଷରୁ ଥିବା ସାଂସଦ ମୋଦି ସରକାରଙ୍କ ଦ୍ବାରା ହୋଇଥିବା ଯୋଜନା ଓ ନୀତିକୁ ନେଇ ସରକାରଙ୍କୁ ସମର୍ଥନ କରିଥିଲେ । ସେହି ସମୟରେ ବିପକ୍ଷ ପାର୍ଟିର ସାଂସଦ ସରକାରଙ୍କ ବିଫଳତା ବିଷୟରେ କହି ସରକାରଙ୍କୁ ଘେରିବାକୁ ଲାଗୁଛନ୍ତି । ଚର୍ଚ୍ଚା ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତବ୍ୟ ରଖିବେ । ସଂସଦରେ ବର୍ତ୍ତମାନ ବଜେଟ ୨୦୨୨ର ପ୍ରଥମ ସପ୍ତାହରେ ରାଜ୍ୟସଭାରେ ୧୦୦ ପ୍ରତିଶତ କାର୍ଯ୍ୟକ୍ରମ ହୋଇଛି । ସଭାପତି ଏମ ଭେଙ୍କେୟା ନାଇଡୁ ଗୃହ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ପାଇଁ ସାଂସଦଙ୍କୁ ଆହ୍ବାନ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ:ଓୱେସୀଙ୍କ ଗାଡିକୁ ଗୁଳିମାଡ ଘଟଣା: ଆଜି ସଂସଦରେ ବିବୃତ୍ତି ରଖିବେ ଗୃହମନ୍ତ୍ରୀ
ଅଧିକାରୀଙ୍କ ଅନୁଯାୟୀ, ରାଜ୍ୟସଭାରେ ବଜେଟ୍ ଅଧିବେଶନର ପ୍ରଥମ ସପ୍ତାହରେ 15 ଘଣ୍ଟା 17 ମିନିଟର କାର୍ଯ୍ୟ ସମୟ ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରାଯାଇଥିଲା ଏବଂ 100% କାର୍ଯ୍ୟ କରାଯାଇଥିଲା । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣଉପରେ ଧନ୍ୟବାଦ ଅର୍ପଣ ଉପରେ ଏପର୍ଯ୍ୟନ୍ତ 26 ଜଣ ସଦସ୍ୟ ଅଂଶଗ୍ରହଣ କରିଛନ୍ତି । ଏପର୍ଯ୍ୟନ୍ତ ସମୁଦାୟ 7 ଘଣ୍ଟା 41 ମିନିଟ୍ ଉପରେ ଆଲୋଚନା କରାଯାଇଛି । ଗୃହ ଏଥିପାଇଁ ସମୁଦାୟ 12 ଘଣ୍ଟା ସମୟ ସ୍ଥିର କରିଛି । ଫଳରେ ମୋଟ 15 ଟି ବିଲ୍ ଆଗତ କରାଯାଇଛି।
ପ୍ରକାଶ ଥାଉ କି, ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଫେବୃଆରୀ ୧୧ ଯାଏଁ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ଅଧିବେଶନରେ ୧୦ଟି କାର୍ଯ୍ୟ ଦିବସ ରହିଛି । ଏକ ମାସରେ ବିରତି ପରେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଚାଲିବ । ଏହି ପର୍ଯ୍ୟାୟରେ ୧୯ଟି କାର୍ଯ୍ୟ ଦିବସ ରହିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ