ହାଇଦ୍ରାବାଦ: ଆଜିଠୁ ମହାରାଷ୍ଟ୍ର ଓ ଗୁଜୁରାଟର ବଜେଟ ଅଧିବେଶନ ଆରମ୍ଭ । ମହାରାଷ୍ଟ୍ର ବିଧାନସଭାରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ଅଭିଭାଷଣ ସହିତ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳ ଦୁଇ ଗୃହ ବିଧାନସଭା ଓ ବିଧାନ ପରିଷଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ।
10 ଦିନ ବସିବାକୁ ଥିବା ଏହି ଅଧିବେଶନରେ ମାର୍ଚ୍ଚ 6 ତାରିଖରେ ରାଜ୍ୟର ବଜେଟ ଆସିବ । ଗୃହରେ ଅର୍ଥମନ୍ତ୍ରୀ ଏହାକୁ ଉପସ୍ଥାପନ କରିବେ । ତେବେ ବଜେଟ ଅଧିବେଶନରେ ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଥିବାବେଳେ ଆସନ୍ତାକାଲି ଏହା ଉପରେ ଆଲୋଚନା ହେବ । ତେବେ ପ୍ରତିବର୍ଷ 6 ସପ୍ତାହ ଧରି ଏହି ଅଧିବେଶନ ବସୁଥିବାବେଳେ ଚଳିତ ବର୍ଷ କୋଭିଡକୁ ଲକ୍ଷ୍ୟ କରାଯାଇ କାର୍ଯ୍ୟଦିବସକୁ କମାଇ ଦିଆଯାଇଛି ।
ସେପଟେ ଗୁଜୁରାଟରେ ମଧ୍ୟ ଆଜିଠୁ ବଜେଟ ଅଧିବେଶନ ବସିବ । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଅଭିଭାଷଣରେ ଅଧିବେଶନ ଆରମ୍ଭ ହେବ । ତେବେ ବୁଧବାର ରାଜ୍ୟର ବଜେଟ ଆସିବ । ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ନୀତିନ ପଟେଲ ଗୃହରେ ବଜେଟ ଆଗତ କରିବେ ।
ଗୁଜୁରାଟରେ ଅପ୍ରେଲ 1 ତାରିଖ ଯାଏ ବଜେଟ ଅଧିବେଶନ ଚାଲିବ ।