ହାଇଦ୍ରାବାଦ: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ନିୟୋଜିତ ହେଲା ଅତ୍ୟାଧୁନିକ ରାଡାର ସିଷ୍ଟମ ଥିବା ଡ୍ରୋନ । ସୀମା ସୁରକ୍ଷା ବଳ ପକ୍ଷରୁ ଏହି ଅତ୍ୟାଧୁନିକ ଡ୍ରୋନକୁ ଏଲଓସିରେ ନିୟୋଜିତ କରାଯାଇଛି (BSF deploys radar equipped drone)। ସୀମାରେ ଅନୁପ୍ରବେଶ ଓ ଅନ୍ୟ ସନ୍ଦେହଜନକ ଗତିବିଧି ନେଇ ଏହି ଡ୍ରୋନ ପ୍ରଭାବୀ ଭାବେ କାର୍ଯ୍ୟ କରିବା ସହ ସୂଚନା ସଂଗ୍ରହ କରିପାରିବ । ଏହି ଅତ୍ୟାଧୁନିକ ଡ୍ରୋନକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ଆଜି ଏନେଇ ସୀମା ସୁରକ୍ଷା ବଳ ଏକ ଅଭ୍ୟାସ କରି ଏହାର ସଫଳ ପରୀକ୍ଷଣ ମଧ୍ୟ କରିଛି ।
ଅନୁପ୍ରବେଶ, ସୀମାପାର ଅତଙ୍କବାଦ, ସନ୍ଦେହଜନକ ଗତିବିଧି, ନିଶା କାରବାର ଓ ଅନ୍ୟ ସମସ୍ତ ଆପତ୍ତିଜନକ କାର୍ଯ୍ୟକଳାପ ଉପରେ ରୋକ ଲାଗିବାରେ ସଫଳତା ମିଳିବ । ନିୟନ୍ତ୍ରଣ ରେଖା ନିକଟରେ ଏକାଧିକ ଟନେଲ ବା ସୁଡଙ୍ଗ ପାକିସ୍ତାନ ଓ ବିଭିନ୍ନ ଆତଙ୍କୀ ସଂଗଠନ ଦ୍ବାରା ନିର୍ମାଣ ହୋଇଥିବା ଜଣାପଡିଥିଲା । ଏହି ସୁଡଙ୍ଗ ଦେଇ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବା ସହ ନିଶାଦ୍ରବ୍ୟ ମଧ୍ୟ ଚୋରା ଚାଲାଣ କରାଯାଉଥିବାର ଅନୁମାନ କରାଯାଉଥିଲା । ଯାହାକୁ ପ୍ରତିହତ କରିବା ପାଇଁ ଏହି ରାଡାର କ୍ଷମତା ସମ୍ପନ୍ନ ଡ୍ରୋନ ପ୍ରଭାବୀ ଭାବେ କାର୍ଯ୍ୟ କରିବା ନେଇ ଭାରତୀୟ ସୀମା ସୁରକ୍ଷା ବଳ କହିଛି ।
ସୀମା ସୁରକ୍ଷା ବଳ ଗତ ତିନି ବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ 192 କିଲୋମିଟରରେ ଦୂରତା ମଧ୍ୟରେ ପ୍ରାୟ ପାଞ୍ଚରୁ ଅଧିକ ସୁଡଙ୍ଗ ଚିହ୍ନଟ କରିଛି । ଏହି ସବୁ ସୁଡଙ୍ଗ ପାକିସ୍ତାନ ସେନା ଓ ସେଠାରୁ ଅପରେଟ ହେଉଥିବା ଆତଙ୍କବାଦୀ ସଂଗଠନ ଦ୍ବାରା ପ୍ରସ୍ତୁତ ହୋଇଛି । ଭାରତୀୟ ସୁରକ୍ଷାବଳ ଆଖିରେ ଧୁଳି ଦେଇ ସୀମା ଅତିକ୍ରମ କରି କାଶ୍ମୀରରେ ପ୍ରବେଶ କରିବା ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୂପ ଦେବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ ।
ଭାରତ-ପାକିସ୍ଥାନ ଅନ୍ତର୍ଜାତୀୟ ସୀମାର ଜମ୍ମୁ ସେକ୍ଟରରେ ଦିନକୁ ଦିନ ସୁଡଙ୍ଗ ଚିହ୍ନଟ ଘଟଣା ବଢୁଥିବା ଦୃଷ୍ଟିରେ ରଖି ବିଏସଏଫ ପାରମ୍ପରିକ ପାଟ୍ରୋଲିଂ ପରିବର୍ତ୍ତେ ବୈଷୟିକ ଉପକରଣ ମୁତୟନ କରିବା ପାଇଁ ଯୋଜନା କରିଥିଲା । ଯାହା ଶେଷରେ କାର୍ଯ୍ୟକାରୀ ହୋଇଛି । ଆଜି ବିଏସଏଫ ଏହାର ଏକ ପରୀକ୍ଷଣ ମଧ୍ୟ କରି ସଫଳତାର ସହ ସ୍ବଦେଶୀ ରାଡାର ସିଷ୍ଟମ ବିକଶିତ ଡ୍ରୋନକୁ ମୁତୟନ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ