ନୂଆଦିଲ୍ଲୀ: ଗିରଫ ହେଲେ ବିଏସଏଫ ଡେପୁଟି କମାଣ୍ଡାଣ୍ଟ। ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ପାଇଁ ବିଲଡରଙ୍କଠାରୁ ୧୨୫ କୋଟି ନେଇଥିବା ଅଭିଯୋଗ । ଏହି ଘଟଣାରେ ବିଏସଏଫ କମାଣ୍ଡାଣ୍ଟଙ୍କ ଓ ତାଙ୍କ ଭଉଣୀଙ୍କ ସମେତ ଆଉ ୨ଜଣଙ୍କୁ ଗିରଫ କରିଛି ପୋଲିସ । ୫ ଜଣ ବିଲଡରଙ୍କ ଅଭିଯୋଗ କ୍ରମେ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ରହିଛି ।
ଗୁରୁଗ୍ରାମ ଜିଲ୍ଲାର ମନସର କ୍ୟାମ୍ପସରେ ଥିବା ଏନଏସଜି ଗ୍ରୁପ କମାଣ୍ଡର ଭାବରେ ପ୍ରବୀଣ ଜଣେ ଆଇପିଏସ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତେବେ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟ ପାଇଁ ବିଲଡରଙ୍କୁ ମିଛ ପ୍ରତିଶୃତି ଦେଇ ସେ ଟଙ୍କା ହଡ଼ପ କରୁଥିଲେ । ଏହି ଘଟଣାରେ ପ୍ରବୀଣ ଯାଦବ, ତାଙ୍କ ପତ୍ନୀ ମମତା ଯାଦବ, ଭଉଣୀ ରିତୁରାଜ ଯାଦବ ଏବଂ ସହଯୋଗୀ ଦୀନେଶ କୁମାରଙ୍କୁ ଗିରଫ କରାଯାଇଛି । ଗିରଫ ନେଇ ଗୁରୁଗ୍ରାମ ପୋଲିସ କମିଶନର କେ କେ ରାଓ ସୂଚନା ଦେଇଛନ୍ତି । ପ୍ରବୀଣ ଓ ତାଙ୍କ ସହଯୋଗୀଠାରୁ ୧୩ କୋଟି ଟଙ୍କା ଓ ଛଅଟି ବିଳାସପୂର୍ଣ୍ଣ କାର ଜବତ କରିଛି ପୋଲିସ ।
କମିଶନରେଟ ପୋଲିସ କହିଛନ୍ତି ଯେ, ପ୍ରବୀଣ ପ୍ରଥମେ ସ୍ଥାନୀୟ ବିଲଡର ମୋନେଶ ଇରାନୀଙ୍କଠାରୁ ଏନଏସଜି କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ପାଇଁ ମିଛ ପ୍ରତିଶୃତି ଦେଇ 65 କୋଟି ଟଙ୍କା ନେଇଥିଲେ। ଏନେଇ ମୋନେଶ ଗତ ଜାନୁଆରୀ ୮ ତାରିଖରେ ପ୍ରବୀଣଙ୍କ ନାମରେ ଅଭିଯୋଗ କରିଥିଲେ । ଏହା ପରେ ଜାନୁଆରୀ ୯ ତାରିଖରେ ଅନ୍ୟ ଜଣେ ବିଲଡର ତାଙ୍କଠାରୁ ୩୭ କୋଟି ନେଇଥିବା ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ଆଧାରରେ ପ୍ରବୀଣଙ୍କ ବିରୋଧରେ ତିନୋଟି ମାମଲା ରୁଜ୍ଜୁ ହୋଇଥିଲା ଏବଂ ଏହାର ତଦନ୍ତ ନେଇ ଆସିଷ୍ଟାଣ୍ଟ ପୋଲିସ କମିଶନର ପ୍ରୀତ ପାଲ ସିଂ ସଙ୍ଗୱାନଙ୍କ ନେତୃତ୍ବରେ ଏକ ଏସଆଇଟି ଟିମ ଗଠନ କରାଯାଇଥିଲା।
ପୋଲିସ ସେମାନଙ୍କୁ ଗିରଫ କରି ପଚରାଉଚରା କରୁଛି । ତେବେ ସେୟାର ବଜାରରେ ଜଡ଼ିତ ଥିବା ପ୍ରବୀଣ ଏକ ବଡ କ୍ଷତି ସହିଥିଲେ । ଯାହା ଫଳରେ ତାର ପୁନରୁଦ୍ଧାର ପାଇଁ ଲୋକଙ୍କୁ ଠକି ପଇସା ଆଣୁଥିଲେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ନକଲି ଲେଟରହେଡ ଏବଂ ଏନଏସଜି ସିଲ ଆଧାରରେ ସେ ତାଙ୍କ ଫାର୍ମ ଏବଂ ଏନଏସଜି ନାମରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ । ଏଥିସହ ଏନଏସଜି କ୍ୟାମ୍ପସ ଭିତରେ ଏକ ଗୁପ୍ତ ରାସ୍ତା ମଧ୍ୟ ଖୋଲିଥିଲେ । ପ୍ରବୀଣ ବିଭିନ୍ନ ବିଲ୍ଡିଂ କାମ ଓ ରାସ୍ତା କାମ ଦେବାକୁ କହି ଲୋକଙ୍କଠାରୁ ଟଙ୍କା ହଡ଼ପ କରୁଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ