ମୁମ୍ବାଇ: ବିବାହ ମଣ୍ଡପରେ କନିଆଁ ବରକୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଛନ୍ତି । ଏହା କନିଆଁର କୌଣସି ଔଦ୍ଧତାମି ହୋଇଥିବ ବୋଲି ଆପଣ ଭାବୁଛନ୍ତି କି ? ମାତ୍ର କଥାଟି ତାହା ନୁହେଁ । ମଣ୍ଡପରେ ବରଙ୍କ ଅସାମାଜିକ ଆଚରଣ ଯୋଗୁଁ କନିଆଁ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଚାପୁଡ଼ା ମାରିବାକୁ ପଛାଇ ନାହାନ୍ତି । ବର ଜଣକ ସମସ୍ତ ଅତିଥିଙ୍କ ସମ୍ମୁଖରେ ଗୁଟଖା ଚୋବାଉଥିବାରୁ ତାଙ୍କୁ କନିଆଁ ଚାପୁଡ଼ା ମାରିଛନ୍ତି ।
ଘଟଣାଟି କେଉଁ ଅଞ୍ଚଳର ଜଣାପଡ଼ିନଥିବା ବେଳେ ସୋସିଆଲ ମିଡ଼ିଆରେ ଭିଡ଼ିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ବିବାହ ରୀତିନୀତି ଚାଲିଥିବା ସମୟରେ ବର ଲଗାତାର ଭାବରେ ଗୁଟଖା ଚୋବାଇ ଚାଲିଥିଲେ । ଏହାପରେ କନିଆଁ ଜଣକ ରାଗିଯାଇ ବରକୁ ଚାପୁଡ଼ା ମାରିବା ସହିତ ଗୁଟଖା ଫିଙ୍ଗିକି ଆସିବାକୁ କହିଥିଲେ । ଆଉ ମଜାଦାର କଥା ହେଉଛି ଏସବୁ ଦେଖି ମଧ୍ୟ କୌଣସି ସମ୍ପର୍କୀୟ ଉଭୟଙ୍କୁ କିଛି କହିନଥିଲେ କିମ୍ବା କେହି ଏପରି ନକରିବାକୁ କହି ଅଟକାଇନଥିଲେ ।
ଫଳରେ ଉପାୟ ଶୂନ୍ୟ ହୋଇ ବର ଗୁଟଖା ଫିଙ୍ଗିବାକୁ ଯାଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ସାଧାରଣ ଭାବେ ଗୁଟଖାକୁ ଦେଶରେ ଅନେକ ଯୁବପିଢିମାନେ ଖାଉଥିବା ଦେଖିବାକୁ ମିଳେ । ମାତ୍ର ଏହା ଏକ ଖରାପ ଅଭ୍ୟାସ ହୋଇଥାଏ । ସେପଟେ ଭିଡ଼ିଓଟି ଭାଇରାଲ ହେବା ପରେ ଯୁବତୀଙ୍କୁ ସମସ୍ତେ ଭୂରି ପ୍ରଶଂସା କରିଛନ୍ତି ।