ପାଟନା: ଖାକିରେ ଲାଗିଲା ଦାଗ । ବିହାର ମୁଙ୍ଗେରରୁ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଖବର ସାମନାକୁ ଆସିଛି । ଏକତରଫା ପ୍ରେମ କରି ବିଫଳ ହେବାରୁ ନାରକୀୟ କାଣ୍ଡ ଘଟାଇଛି ପ୍ରେମିକ । ସବୁଠୁ ବଡ଼ କଥା ହେଉଛି ପ୍ରେମିକ ଜଣକ ଜଣେ ପୋଲିସ କର୍ମଚାରୀ। ଅଭିଯୁକ୍ତ ଜଣକ ହେଉଛି ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ଅମନ କୁମାର । ସୂଚନା ମୁତାବକ ପୂର୍ବରୁ ଯୁବତୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ ସଂପୃକ୍ତ କନଷ୍ଟେବଳ । ହେଲେ ସେ ପ୍ରତ୍ୟାକ୍ଷାନ କରିଥିଲେ । ଆଉ ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିଲା ।
ଗତ ୨୧ ତାରିଖ (ଗତକାଲି) ଦିନ ପଡ଼ିଥାନ୍ତା ହାତଗଣ୍ଠି । ତେଣୁ ଯୁବତୀ ଜଣକ ବିବାହ ପୂର୍ବରୁ ସଜେଇ ହେବା ପାଇଁ କସ୍ତୁରବା ଛକ ନିକଟରେ ଥିବା ପାର୍ଲରକୁ ଯାଇଥିଲେ । ଆଉ ପ୍ରତିଶୋଧ ପରାୟଣ ହୋଇ ଅମନ ପାର୍ଲର ଭିତରକୁ ଯାଇ ଯୁବତୀଙ୍କ ଉପରକୁ କରିଥିଲା ଗୁଳିଚାଳନା । ତେବେ ଗୁଳି ସେହି ସମୟରେ ଯୁବତୀଙ୍କ କାନ୍ଧରେ ବାଜି ଚାଲିଯାଇଥିଲା । ସେଠାରେ ଉପସ୍ଥିତ ଥିବା ପାର୍ଲର କର୍ମଚାରୀ ଯୁବତୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତେବେ ପାର୍ଲର କର୍ମଚାରୀମାନେ ପୋଲିସକୁ ଦେଇଥିବା ସୂଚନା ମୁତାବକ ଗୁଳିକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ନିଜେ ଗୁଳି କରି ଆତ୍ମହତ୍ୟାକୁ ଚେଷ୍ଟା ମଧ୍ୟ କରୁଥିଲା । ହେଲେ ତାକୁ ଅଟକ ରଖି ପୋଲିସ ହେପାଜତରେ ଛଡ଼ାଯାଇଛି ।
ତେବେ ଗୁଳିମାଡ଼ ଯୋଗୁ ଆହତ ଯୁବତୀଙ୍କ ଶରୀରରୁ ଅତ୍ୟଧିକ ରକ୍ତଶ୍ରାବ ହୋଇଥିବା ଜଣାପଡ଼ିଛି । ଯେଉଁଥିପାଇଁ ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବାବେଳେ ଚିକିତ୍ସା ଜାରି ରଖିଛନ୍ତି ଡାକ୍ତର । ଯୁବତୀଙ୍କ ବିବାହ ମୟ ଦରିୟାପୁରର ଉତ୍ତମ କୁମାରଙ୍କ ସହ ସ୍ଥିର ହୋଇଥିଲା । ଏଭଳି ଘଟଣା ପରେ ପ୍ରେମ ବ୍ୟାପାର ନେଇ ସନ୍ଦେହ ବର ପକ୍ଷ ସନ୍ଦେହ କରୁଥିବା ଜାଣିବାକୁ ମିଳିଛି । ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ପରେ ଯୁବତୀଙ୍କ ବାବଦରେ ସମସ୍ତ ତଥ୍ୟ ଜାଣିଲା ପରେ ହିଁ ବିବାହ କରାଇବାକୁ ରାଜି ହେବେ ବୋଲି ଉତ୍ତମଙ୍କ ପରିବାର ପକ୍ଷରୁ କୁହାଯାଇଛି । ସେପଟେ କନ୍ୟା ବେଶରେ ସଜେଇ ହେବାକୁ ଯାଉଥିବା ଝିଅର ହଠାତ୍ ଏପରି ଦଶା ଦେଖି ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ଏଭଳି ଗୁଳିକାଣ୍ଡକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ । ତେବେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି ପାଟନା ପୋଲିସ ।