ଥିରୁଅନନ୍ତପୁରମ: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ । ଯାହାକୁ ଦଇବ ସାହା ହେବ ତା'ର କୌଣସି ଅନିଷ୍ଟ ହେବ ନାହିଁ । ଏପରି ଉକ୍ତିର ଯଥାର୍ଥତା ବଖାଣୁଛି ଏହି ଭିଡିଏ । ଭଲ ଭାବେ ଦେଖନ୍ତୁ ଏହି ଭିଡିଓଟିକୁ, କିପରି ଜଣେ ୮ ବର୍ଷର ବାଳକ ନିଶ୍ଚିତ ବିପଦରୁ ବର୍ତ୍ତି ଯାଉଛନ୍ତି ।
ପ୍ରଥମେ ଏକ ବାଇକ ଧକ୍କା ଦେବା ପରେ ବାଳକ ଜଣକ ଛିଟିକି ଯାଇ ରାସ୍ତାକଡରେ ପଡି ଯାଉଛନ୍ତି, ଏହାପରେ ଏକ ବସ୍ ତାଙ୍କ ସାଇକେଲ ଉପରେ ମାଡିଯାଉଛି । ମାତ୍ର ଅଳ୍ପକେ ବର୍ତ୍ତି ଯାଉଛନ୍ତି ବାଳକ ଜଣକ । ଦୁର୍ଘଟଣା ସମୟର ଏସବୁ ଭିଡିଓ CCTV କ୍ୟାମେରାରେ କଏଦ ହୋଇଛି । ଘଟଣାଟି ଘଟିଛି କେରଳ ତଲିପରମ୍ବା-ଇରିତ୍ତିରେ । ଅଞ୍ଚଳର ଜଣେ ୮ ବର୍ଷୀୟ ବାଳକ ସାଧୁରେହମାନ ନୂଆ କରି କିଣାଯାଇଥିବା ସାଇକେଲ୍ ନେଇ ଚାଳନା ଅଭ୍ୟାସ କରୁଥିଲେ ।
ନିଜ ଘରର କ୍ୟାମ୍ପସ ମଧ୍ୟରେ ଚଳାଉ ଥିବା ସମୟରେ ହଠାତ୍ ସାଇକେଲ୍ ସ୍ପିଡକୁ କଣ୍ଟ୍ରୋଲ କରିପାରିନଥିଲେ ଫଳରେ ରାସ୍ତାରେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲେ । ମାତ୍ର ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି ବାଳକ ଜଣକ । ତେବେ ଏହାକୁ ଏକ ଅଲୌକିକତା କହିଲେ କିଛି ଭୁଲ୍ ହେବ ନାହିଁ । ମାତ୍ର ଏହି ଭିଡିଓ ନିଶ୍ଚିତ ରୂପେ ଏକ ସଚେତନତା ବାର୍ତ୍ତା ଦେଉଛି । ଅଭିଭାବକମାନେ ପିଲାମାନଙ୍କ ପ୍ରତି ଦୃଷ୍ଟି ଦେବା ସହ ପିଲାମାନେ ମଧ୍ୟ ସାଇକେଲ ଚାଳନା ଅଭ୍ୟାସ କରୁଥିବା ସମୟରେ ଯେପରି ଜାତୀୟ ରାଜପଥ କିମ୍ବା ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯାଆନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ