ବେଙ୍ଗାଲୁରୁ: ସୈତାନ ସାଜିଲା ଜନ୍ମଦାତା । ଅଲଗା ଜାତିର ପୁଅକୁ ପ୍ରେମ କରିବାରୁ ଜନ୍ମକଲା ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କଲା ବାପା(Father killed daughter over love affair) । ଝିଅକୁ ମନ୍ଦିରକୁ ବୁଲାଇ ନେବା ବାହାନାରେ କେନାଲରେ ଠେଲି ଦେଲା । ସମସ୍ତଙ୍କୁ ଚକିତ କଲାଭଳି ଏହି ବର୍ବରୋଚିତ କାଣ୍ଡ ଘଟିଛି କର୍ଣ୍ଣାଟକରେ । ଗତ ଅକ୍ଟୋବର ୩୧ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ଏହାର ପର୍ଦ୍ଦାଫାସ ହୋଇଛି । ପୋଲିସ ଅଭିଯୁକ୍ତ ବାପା ସହ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, କର୍ଣ୍ଣାଟକ ବଲ୍ଲାରୀ ଜିଲ୍ଲା ସିଦ୍ଦାମ୍ମାନହଲି ଅଞ୍ଚଳର ୧୪ ବର୍ଷୀୟ ନାବାଳିକା ଜଣେ ଅଲଗା ଜାତିର ଯୁବକଙ୍କୁ ପ୍ରେମ କରୁଥିଲେ । ପରିବାର ଲୋକେ ଏକଥା ଜାଣିବା ପରେ ଝିଅକୁ ବିରୋଧ କରିବା ସହ ସେହି ଯୁବକ ଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ । ହେଲେ ନାବାଳିକା କାହା କଥା ନ ଶୁଣି ଯୁବକଙ୍କ ସହ ସମ୍ପର୍କ ରଖିଥିଲେ । ଏଥିରେ ଖୁବ୍ ରାଗି ଯାଇଥିଲେ ନାବାଳିକାର ବାପା ଓମକାର ଗୌଡା । ଝିଅ କଥା ନ ମାନିବାରୁ ଶେଷରେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ।
ପୋଲିସ ସୂଚନା ମୁତାବକ, ଗତ ୩୧ ତାରିଖ ଅପରାହ୍ନରେ ବାପା ଓମକାର ବାଇକରେ ଝିଅକୁ ବାହାରକୁ ବୁଲାଇ ନେଇଥିଲେ । ପ୍ରଥମେ ସେମାନେ ଫିଲ୍ମ ଦେଖିବାକୁ ଯାଇଥିଲେ । ହେଲେ ସିନେମା ହଲରେ ପହଞ୍ଚିଲା ବେଳକୁ ଫିଲ୍ମ ଆରମ୍ଭ ହୋଇଯାଇଥିଲା । ତେଣୁ ସେଠାରୁ ସେ ଝିଅକୁ ଏକ ହୋଟେଲକୁ ନେଇ ଖାଇବାକୁ ଦେଇଥିଲେ । ସେଠାରୁ ଝିଅକୁ ପୁଣି ସାଙ୍ଗରେ ନେଇ ବାସଭେଶ୍ବର ମନ୍ଦିରକୁ ଯାଇଥିଲେ ଏବଂ ପାଖ ଗହଣା ଦୋକାନରୁ ତାଙ୍କୁ ମୁଦି କିଣି ଉପହାର କରିଥିଲେ । ଏହାପରେ ସେ ସ୍ଥାନୀୟ ଏଚଏଲସି କେନାଲ ନିକଟକୁ ନାବାଳିକାଙ୍କୁ ନେଇଯାଇ କିଛି କାମ ବାହାନରେ ସେଠାରୁ ପଳାଇଥିଲେ । ନାବାଳିକାଟି କେନାଲ ପାଖରେ ବାପାକୁ ଅପେକ୍ଷା କରିଥିବା ବେଳେ ଅଭିଯୁକ୍ତ ବାପା ପଛପଟୁ ଆସି ଝିଅକୁ କେନାଲ ମଧ୍ୟକୁ ଠେଲି ଦେଇଥିଲା । ଝିଅ ବୁଡିଯିବାରୁ ଅଭିଯୁକ୍ତ ବାଇକ ଯୋଗେ ଘଟଣାସ୍ଥଳରୁ ନିଜର ଜଣେ ବନ୍ଧୁ ଘରକୁ ଚମ୍ପଟ ମାରିଥିଲା ।
ଏହାମଧ୍ୟ ପଢନ୍ତୁ: ବାଇକ ଚକରେ ଫସିଗଲା ମାଙ୍କଡ, ଘଣ୍ଟାଏ ପରେ ହେଲା ଉଦ୍ଧାର
ଅଭିଯୁକ୍ତ ନିଜ ଝିଅ ନାଁରେ ବ୍ୟାଙ୍କରେ ୨୦ ଲକ୍ଷ ଟଙ୍କା ଜମା ରଖିଥିଲା । କିନ୍ତୁ ହତ୍ୟା କରିବା ପରେ ନିଜର ବନ୍ଧୁ ସାହାଯ୍ୟରେ ସେହି ଟଙ୍କା ଟ୍ରାନ୍ସଫର କରିନେଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ପୋଲିସ ସୈତାନ ବାପା ସହ ତାଙ୍କ ବନ୍ଧୁଙ୍କୁ ଗିରଫ କରିଛି ।