ଗାନ୍ଧୀନଗର: ଗୁଜୁରାଟର ସୁରେନ୍ଦ୍ରନଗର ଥାନା ଅଞ୍ଚଳରେ ଜଣେ ଦେଢ ବର୍ଷର ମୃତ ଶିଶୁକୁ ମାଟି ତଳୁ କାଢି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ପରିବାର । ଦେଢ ବର୍ଷର ଶିଶୁର ମୃତ୍ୟୁ ଘଟିବା ପରେ ତାକୁ ରୀତିନୀତି ଅନୁଯାୟୀ ମାଟିରେ ପୋତି ଦିଆଯାଇଥିଲା । ମାତ୍ର କେହି ଜଣେ ଦୁର୍ବୃତ୍ତ ମାଟି ତଳୁ ଶିଶୁକୁ କାଢି ଦୁଷ୍କର୍ମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମୃତ ଶିଶୁକୁ ଡାକ୍ତରୀ ମାଇନା କରିବା ଲାଗି ନିକଟସ୍ଥ ସରକାରୀ ହସ୍ପିଟାଲକୁ ମୃତଦେହ ପଠାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଶିଶୁଟି ଜନ୍ମ ହେବା ପରେ ହାର୍ଟରେ ଛିଦ୍ର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୫ ତାରିଖରେ ତାର ମୃତ୍ୟୁ ଘଟିଥିଲା । ଡାକ୍ତର ଶିଶୁକୁ ମୃତ ଘୋଷିତ କରିବା ପରେ ତାକୁ ରୀତିନୀତ ଅନୁଯାୟୀ ପରିବାର ଅନ୍ତିମ ସଂସ୍କାର କରିଥିଲା । ଅନ୍ତିମ ସଂସ୍କାର ବେଳେ ଶିଶୁକୁ ପରିବାର ପୋଷାକ ପିନ୍ଧାଇଥିଲେ । ଏହାପରେ ଅନ୍ତିମ ସଂସ୍କାର କରିଥିଲେ । ଅନ୍ତିମ ସଂସ୍କାର କରିବା ପରେ ଅନ୍ୟ କୌଣସି ଧାର୍ମିକ ରୀତିନୀତି ଲାଗି ଶିଶୁକୁ ପୋତା ଯାଇଥିବା ସ୍ଥାନକୁ ଯିବା ପରେ ସେଠାରେ ଶିଶୁର ମୃତଦେହ ବାହାରେ ପଡି଼ଥିବା ଦେଖିବାକୁ ମିଳିଥିଲା ।
ଏହା ବି ପଢନ୍ତୁ- ପ୍ରେମ ରାସ୍ତାରେ କଣ୍ଟା ସାଜିଲା ସ୍ତ୍ରୀ, ଜୀବନ ନେଇଗଲା ସ୍ବାମୀ
ଏହାପରେ ପରିବାର ଥାନାରେ ଅଭିଯୋଗ କରିଛି । ରବିବାର ସବଇନ୍ସପେକ୍ଟର ଭି.ଆ ଖଦିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଶିଶୁର ମୃତଦେହକୁ ମାଟି ତଳୁ କାଢି କେହି ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତଦେହକୁ ଯାଞ୍ଚ କରିବା ପରେ ଥଙ୍ଗଧ ହସ୍ପିଟାଲ ଡାକ୍ତରମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି । ଏବେ ଶିଶୁ ମୃତଦେହର ବ୍ୟବଚ୍ଛେଦ ଲାଗି ପୋଲିସ ରାଜକୋଟ ଫରେନ୍ସିକ ଲ୍ୟାବକୁ ପଠାଇଥିବା କହିଛି । ପୋଲିସ ଆଇପିସି ଧାରା ୩୭୭ ଆଧାରରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ସେପଟେ ଦୁର୍ବୃତ୍ତକୁ ଯଥାଶୀଘ୍ର ଧରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପରିବାର ଦାବି କରିଛି । ଯେଉଁ ସ୍ଥାନରେ ଶିଶୁଟିକୁ ପୋତା ଯାଇଥିଲା ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ଏହାସହ ଆଖପାଖ ଅଞ୍ଚଳରେ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି । ଯଥାଶୀଘ୍ର ଉକ୍ତ ଦୁଷ୍କର୍ମକାରୀକୁ ପୋଲିସ ଧରିବ ବୋଲି ପରିବାରକୁ ପ୍ରତିଶୃତି ଦେଇଛି ।