ଲକ୍ଷ୍ନୌ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପାନୀୟଜଳ ସମସ୍ୟା ଜଣାଇବାକୁ ଆସିଥିବା ମହିଳାଙ୍କୁ ପିଟିଲେ ବିଜେପି କର୍ମୀ (Women beaten in Smriti Irani program ) । ଏ ଭଳି ଅଭିଯୋଗ ଆସିଛି ବିଜେପି ଶାସିତ ଉତ୍ତରପ୍ରଦେଶ ରାଜ୍ୟରୁ । ତେବେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଏ ଭଳି ହୋଇଥିବା ଜଣାପଡିଛି।
ସୂଚନାଅନୁଯାୟୀ ଶୁକ୍ରବାର ଉତ୍ତରପ୍ରଦେଶର ଆମେଠି ସାଂସଦ ତଥା କେନ୍ଦ୍ର ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀ ସ୍ମୃତି ଇରାନୀ (Union Minister Smriti Irani ) ନିଜ ସଂସଦୀୟକ୍ଷେତ୍ର ଗସ୍ତ କରିଥିଲେ । ଆମେଠିର ଜାୟେସ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହିତ ଶିଳାନ୍ୟାସ କରାଯିବା କାର୍ଯ୍ୟକ୍ରମ ରହିଥିଲା। ଏହାର ସୂଚନା ପାଇ ଜାୟେସ ପୌରାଞ୍ଚଳ ୱାର୍ଡ ନଂ ୯ ର କିଛି ମହିଳା ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଯିବା ପାଇଁ ବାହାରିଥିଲେ ।
ଏହି ସମୟରେ ଜାୟେସ ପୌରାଞ୍ଚଳର ଉପାଧ୍ୟକ୍ଷ ମହେଶ ସୋନକର ଓ ତାଙ୍କ ପୁଅ ଭାନୁ ସୋନକର ପହଞ୍ଚି ମହିଳାଙ୍କୁ ଅଶୋଭନୀୟ ଆଚରଣ କରିଥିଲା । ଏଭଳି ବିବାଦ ମଧ୍ୟରେ ଦୁଇ ଜଣ ମହିଳାଙ୍କୁ ମାଡ ମଧ୍ୟ ମରାଯାଇଥିବା ଅଭିଯୋଗ ହୋଇଛି । ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଛି।
ତେବେ ପାନୀୟ ଜଳ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇବାକୁ ଯିବାବେଳେ ଆମକୁ ଏଭଳି ମାଡ ମରାଯାଇଛି ବୋଲି କହିଛନ୍ତି ଜଣେ ମହିଳା। ତେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କାର୍ଯ୍ୟକ୍ରମରେ ପହଞ୍ଚିବା ପୂର୍ବରୁ ଏହି ଘଟଣା ଘଟିଛି।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ