ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଐତିହାସିକ ବିଜୟ ପରେ ସରକାର ଗଠନ କରିବ ବିଜେପି । ହୋଲି ପରେ ୟୁପିରେ ଗଠନ ହେବ ନୂଆ ସରକାର । ପୁନର୍ବାର ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ନୂଆ କ୍ୟାବିନେଟ୍ ଗଠନ ପାଇଁ ବିଜେପି ଜୋରଦାର ପ୍ରକିୟା ଚଳାଇଥିବା ବେଳେ ବୁଧବାର ବିଜେପି ଉତ୍ତରପ୍ରଦେଶ କୋର କମିଟି(BJP UP core committee) ୬ ଘଣ୍ଟାର ଗୁରୁତ୍ବପୂର୍ଣ୍ଣ ବୈଠକ କରିଛି । ନୂଆ ସରକାରର ରୂପରେଖ କିପରି ରହିବ ସେନେଇ ବୈଠକରେ ମାନସ ମନ୍ଥନ କରାଯାଇଛି ।
ଉତ୍ତରପ୍ରଦେଶ ମନ୍ତ୍ରୀମଣ୍ଡଳକୁ ଅନ୍ତିମ ରୂପ ଦେବା ପାଇଁ ବୁଧବାର ନୂଆଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟାଳୟରେ ଏହି କୋର କମିଟି ବୈଠକ ବସିଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଷ୍ଟ୍ରୀୟ ମହାସଚିବ ବି.ଏଲ ସନ୍ତୋଷ, ୟୁପି ପାଇଁ ମନୋନୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୟୁପି ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ, କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦିନେଶ ଶର୍ମା ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ । ଏଥିରେ ଉତ୍ତରପ୍ରଦେଶ ବିଧାନ ପରିଷଦ ପାଇଁ ୩୬ ପ୍ରାର୍ଥୀଙ୍କ ନାମ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା ।
ପ୍ରାପ୍ତ ସୂଚନା ଅନୁଯାୟୀ, ହୋଲି ପରେ ଉତ୍ତରପ୍ରଦେଶରେ ନୂଆ ସରକାର ଶପଥ ନେବେ । ତେଣୁ ଶପଥ ଗ୍ରହଣ ସମାରୋହରେ ଆମନ୍ତ୍ରିତ ହେବାକୁ ଥିବା ପ୍ରମୁଖ ଚେହେରାଙ୍କ ନାମ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଛି । ପ୍ରକାଶଥାଉକି, ଚଳିତ ୟୁପି ବିଧାନସଭା ନିର୍ବାଚନରେ ୪୦୩ ଆସନରୁ ୨୫୫ଟି ଆସନ ଦଖଲ କରି ବିଜେପି ପୁଣି ଥରେ ପାୱାରକୁ ଫେରିଛି । ଗତ ୩୭ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ୟୁପିର ପ୍ରଥମ ମୁଖ୍ୟମନ୍ତ୍ରୀ, ଯିଏକି ନିଜର କାର୍ଯ୍ୟକାଳ ପୂରା କରିବା ପରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ ।
@ANI