ପାଟନା: ବିହାର ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ରାଷ୍ଟ୍ରୀୟ ମୁଖପାତ୍ର ତଥା ବିଜେପି ନେତା ଶାହାନବାଜ ହୁସେନ ଓ ମୁକେଶ ସାହାଣୀ । ଏହି ଉତ୍ସବରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ ।
ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦି ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଖାଲି ପଡିଥିବା ବିଧାନପରିଷଦ ଆସନରେ ବିଜେପି ନେତା ଶାହାନବାଜ ହୁସେନଙ୍କୁ ନିର୍ବାଚିତ କରାଯାଇଛି । ସେ ପୂର୍ବରୁ ଅଟଳ ବିହାରୀ ବାଜପେୟୀ ସରକାରରେ ଏକ ଯୁବ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ସହ ବିଜେପିର ପ୍ରମୁଖ ମୁସଲିମ ଚେହେରା ରହିଛନ୍ତି । ବିହାରରେ ବିଧାନସଭା ପରିଷଦ ନିର୍ବାଚନ ପାଇଁ ଶାହାନବାଜ ହୁସେନଙ୍କ ନାମ ଘୋଷଣା କରି ବିଜେପି ବିହାର ରାଜନୀତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କହୁଛନ୍ତି । ସେହିପରି ଏନଡିଏ ସହଯୋଗୀ ଦଳ ତଥା ଭିଆଇପି (ବିକାଶଶୀଳ ଇନସାନ ପାର୍ଟି)ରୁ ମୁକେଶ ସାହାଣୀ ମଧ୍ୟ ବିନୋଦ ନାରାୟଣ ଝାଙ୍କ ଆସନରେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ବିଜେପି ବିହାରରେ ଶାହାନବାଜ ହୁସେନଙ୍କୁ ନେଇ ଦଳ ମୁସଲିମ ଭୋଟରଙ୍କୁ ଆକୃଷ୍ଟ କରିବ ବୋଲି ଚର୍ଚ୍ଚା ହେଉଛି । ବିହାରରେ ଆରଜେଡିର ସଂଖ୍ୟାଲଘୁ ଭୋଟ, ସୀମାଞ୍ଚଳର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ବିଜେପିର ମାଷ୍ଟରଷ୍ଟ୍ରୋକ ବି ହୋଇଥିବା ନେଇ ଚର୍ଚ୍ଚା ଚାଲିଛି ।
@ANI