ନୂଆଦିଲ୍ଲୀ: ଦେଶର 5 ରାଜ୍ୟରେ ନିକଟରେ ବିଧାନସଭା ନିର୍ବାଚନ ସରିଥିବାବେଳେ ପୁଣି ଏକ ମହାସମରର ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ରାଷ୍ଟ୍ରୀୟ ମହାସଚିବଙ୍କ ସହ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।
ଏହାପୂର୍ବରୁ ଜେପି ନଡ୍ଡା ନିଜ ଘରେ ସମସ୍ତ ରାଷ୍ଟ୍ରୀୟ ମହାସଚିବଙ୍କ ସହିତ ବୈଠକ କରିଥିଲେ । ସୂଚନା ଅନୁଯାୟୀ ଆଗାମୀ 6 ରାଜ୍ୟରେ ହେବାକୁ ଥିବା ନିର୍ବାଚନର ପ୍ରସ୍ତୁତି ପାଇଁ କସରତ ଆରମ୍ଭ କରିଛି ବିଜେପି ।
ଗତ 2 ଦିନରେ ଅନେକ ଗରୁତ୍ବପୂର୍ଣ୍ଣ ବୈଠକ କରିସାରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେପିର ଯୁବମୋର୍ଚ୍ଚା, କୃଷକ ମୋର୍ଚ୍ଚା, ମହିଳା ମୋର୍ଚ୍ଚାର ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ । ଶନିବାର ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଥିଲେ । ଏଠାରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି ।
ବୈଠକ ଦୁଇଟି କାରଣରୁ ହୋଇଥିବା କୁହାଯାଉଛି । ପ୍ରଥମରେ ମହାମାରୀ କୋରୋନା ସମୟରେ ସେବା ହିଁ ସଙ୍ଗଠନ କାର୍ଯ୍ୟକ୍ରମକୁ ନେଇ ସମୀକ୍ଷା କରାଯାଇଛି । ଦ୍ବିତୀୟ କାରଣ ହେଉଛି ଆଗାମୀ ବର୍ଷ 6 ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁଯାଉଛି । ଏଥିରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ହେଉଛି ଉତ୍ତରପ୍ରଦେଶ । ଏହାସହିତ ଗୁଜୁରାଟ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆ ସାମିଲ ରହିଛି । ଏହି 6 ରାଜ୍ୟରୁ 5ଟିରେ ବିଜେପିର ସରକାର ରହିଛି ।