କୋଲକାତା: ପଶ୍ଚିମବଙ୍ଗରେ ଜାରି ରହିଛି ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ତୃଣମୂଳ କଂଗ୍ରେସର ଖେଳ । ବିଜେପିକୁ ୨ ଦିନ ମଧ୍ୟରେ ଦଳ ଦେଇଛି ଡବଲ ଝଟକା । ଗତକାଲି(ମଙ୍ଗଳବାର) ବିଜେପି ବିଧାୟକ ବିଶ୍ବଜିତ ଦାସ ପଦ୍ମ ମୋଡି ଯୋଡା ଫୁଲରେ ହୋଇଛନ୍ତି ଯୋଡି । ଗୋଟିଏ ଦିନ ପୂର୍ବରୁ ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷ ମଧ୍ୟ ପଦ୍ମ ପୋଖରୀରୁ ତୃଣମୂଳ କ୍ୟାମ୍ପକୁ ଡିଆଁ ମାରିଛନ୍ତି । ୨ ଦିନ ମଧ୍ୟରେ ୨ ଜଣ ବିଧାୟକ ଦଳ ଛାଡିବା ଏବେ ବିଜେପିର ବଢାଇ ଦେଇଛି ବ୍ଲଡପ୍ରେସର ।
ଏହା ଫଳରେ ବଙ୍ଗଳା ଦଖଲ ପାଇଁ ସ୍ବପ୍ନ ଦେଖୁଥିବା ବିଜେପିର ବିଧାୟକ ସଂଖ୍ୟା ୭୨କୁ ଖସି ଆସିଛି । ଟିଏମସିରେ ସାମିଲ ହୋଇଥିବା ତନ୍ମୟ ଘୋଷ କହିଛନ୍ତି ଖୁବଶୀଘ୍ର ଆଉ ୨୦ ଜଣ ବିଧାୟକ ଟିଏମସିରେ ସାମିଲ ହେବେ ।
ଟିଏମସିରେ ସାମିଲ ହୋଇ ବିଶ୍ବଜିତ କହିଛନ୍ତି, ବିଜେପି ସହ କାର୍ଯ୍ୟ କରିବା ସମ୍ଭବ ନୁହେଁ । କାମ କରିବାର ପରିବେଶ ଟିଏ ନାହିଁ । ଦଳରେ ମାତ୍ରାଧିକ ଗୋଷ୍ଠୀ କନ୍ଦଳ । ଅବିଶ୍ବାସର ବାତାବରଣ । ଏପରି ସ୍ଥଳେ ଦଳରେ ରହି କାମ କରିବା ସମ୍ଭବ ନୁହେଁ । ମମତା ବାନାର୍ଜୀ ଦଳର ସର୍ବୋଚ୍ଚ ନେତ୍ରୀ । ତାଙ୍କ ନେତୃତ୍ବକୁ ବଙ୍ଗାଳବାସୀ ଗ୍ରହଣ କରୁଛନ୍ତି । ମମତା ବଙ୍ଗଳା ବିକାଶକୁ ଦୃତଗତିରେ ଆଗେଇ ନେଉଛନ୍ତି । ବଙ୍ଗଳାରେ ବିଜେପିରେ ସ୍ଥାନ ନାହିଁ । ଖୁବ ଶୀଘ୍ର ଆହୁରି ୨୦ ଜଣ ବିଧାୟକ ବିଜେପି ଛାଡି ଟିଏମସିରେ ସାମିଲ ହେବେ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ