ଲକ୍ଷ୍ନୌ: ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ଉଭୟ ରାଜ୍ୟରେ ଡବଲ ଇଞ୍ଜିନ ସରକାର କଳଙ୍କିତ ହେବାରେ ଲାଗିଛି । କେବଳ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟରେ ବ୍ୟବସ୍ଥା ଭୁଶୁଡିଛି, ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ସରକାର ଓ ଶାସନ ମଧ୍ୟ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି । ତେଣୁ ଉତ୍ତର ପ୍ରଦେଶରେ ରାଜନୈତିକ ସ୍ଥିରତା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରାଖଣ୍ଡ ପଠାଇ ଦିଆଯିବା ଆବଶ୍ୟକ । ଆଜି ଏପରି ଢଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଗତକାଲି (ରବିବାର) ଦଳୀୟ କାର୍ଯ୍ୟାଳୟରୁ ଜାରି ଏକ ବିବୃତ୍ତିରେ ଅଖିଳେଶ ଏପରି କହିଥିବା ଦେଖିବାକୁ ମିଳିଛି ।
ଅଖିଳେଶ ଆହୁରି ମଧ୍ୟ କହିଛନ୍ତି, ବିଜେପି ସରକାର ପ୍ରତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଉଭୟ ରାଜ୍ୟରେ ସମସ୍ୟା ମଧ୍ୟ ସମାନ। ଆଇନ ଶୃଙ୍ଖଳା ଏବଂ ରାଜନୈତିକ ଆଭିମୁଖ୍ୟରେ ହ୍ରାସ ହେତୁ ଉଭୟ ରାଜ୍ୟରେ ପୁଞ୍ଜି ବିନିଯୋଗ କିମ୍ବା ନୂତନ ଶିଳ୍ପ ଆରମ୍ଭ ହୋଇନାହିଁ । ବିଜେପିର ନୀତି ଯୋଗୁଁ ଉଭୟ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବେରୋଜଗାରୀ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବିଜେପି କ୍ଷମତାକୁ ଆସିବା ପରଠାରୁ ବିକାଶ ସମ୍ପୂର୍ଣ୍ଣ ବାଟବଣା ହୋଇଛି ।
ଉଭୟ ରାଜ୍ୟରେ ଗତ କିଛି ଦିନମଧ୍ୟରେ ମୁଦ୍ରାସ୍ଫୀତି ଏବଂ ଦୁର୍ନୀତି ମଧ୍ୟ କ୍ରମାଗତ ଭାବେ ବଢିଛି । ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ମହିଳାମାନଙ୍କ ପାଇଁ ସମ୍ମାନର ସହ ବଞ୍ଚିବା କଷ୍ଟକର ହୋଇପଡିଛି । ଉଭୟ ରାଜ୍ୟର ଚାଷୀଙ୍କ ପ୍ରତି ପ୍ରାଦେଶିକ ସରକାର ଅନ୍ୟାୟ କରାଯାଉଛି । ବ୍ୟବସାୟୀ ମଧ୍ୟ ସମାନ ଭାବେ ବିଜେପି ସରକାର ପ୍ରତି ପ୍ରବଳ ଅସନ୍ତୋଷ ପ୍ରକାଶ କରୁଥିବା କହିଛନ୍ତି ଅଖିଳେଶ ।
ଅଖିଳେଶ ଆହୁରି ମଧ୍ୟ କହିଛନ୍ତି, ବାସ୍ତବରେ ବିଜେପିର ଆରମ୍ଭରୁ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅସମ୍ମାନ ରହିଛି । ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଜେପି କ୍ଷମତାରେ ରହିବ ସେ ପର୍ଯ୍ୟନ୍ତ ସୁସ୍ଥ ଗଣତନ୍ତ୍ର କଳ୍ପନା କରାଯାଇ ପାରିବା ସମ୍ଭବ ନୁହେଁ ।
@PTI