ଭୋପାଳ: ଚର୍ଚ୍ଚାରେ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟଙ୍କ ବିବାଦୀୟ ବୟାନ । ଆଜିକାଲି ଝିଅମାନେ ଏତେ ଖରାପ ପୋଷାକ ପିନ୍ଧୁଛନ୍ତି ଯେ, ସେମାନେ ସୁର୍ପଣଖା ଭଳି ଦେଖାଯାଉଛନ୍ତି ବୋଲି ସେ କହିଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋର ଠାରେ ମହାବୀର ଜୟନ୍ତୀ ଅବସରରେ ଏକ ଜୈନ ସମାଜ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ । ତେବେ ତାଙ୍କର ଏହି ବିବୃତିର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମହାବୀର ଜୟନ୍ତୀ ଅବସରରେ ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧନ କରିବା ସମୟରେ ସେ କହିଥିଲେ, "ମୁଁ ଯେତେବେଳେ ରାତି ସମୟରେ ବାହାରକୁ ବାହାରୁଛି, ସେତେବେଳେ ଯୁବକ ଯୁବତୀଙ୍କୁ ନିଶାସକ୍ତ ଅବସ୍ଥାରେ ଦେଖିବାକୁ ପାଉଛି । ସେମାନଙ୍କୁ ଦେଖି ଇଚ୍ଛା ହୁଏ କାରରୁ ବାହାରି ସେମାନଙ୍କୁ ଚାପୁଡ଼ା ମାରିବାକୁ । ଝିଅମାନେ ଅତ୍ୟନ୍ତ ଖରାପ ପୋଷାକ ପିନ୍ଧୁଛନ୍ତି । ଭଗବାନ ସେମାନଙ୍କୁ ଏତେ ସୁନ୍ଦର ଶରୀର ଦେଇଛନ୍ତି । ଆମେ ସମସ୍ତେ ମହିଳାଙ୍କୁ ଦେବୀର ଆଖ୍ୟା ଦେଉଥାଉ । ସେମାନେ ଭଦ୍ର ଡ୍ରେସ ପିନ୍ଧିବା ଉଚିତ ।" ହେଲେ ଏଭଳି କପଡ଼ା ପିନ୍ଧିବା ଦ୍ବାରା ସେମାନେ ସୁର୍ପଣଖା ଭଳି ଦିଶୁଛନ୍ତି ବୋଲି କହିଛନ୍ତି ବିଜେପି ଦଳର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ ।
ତେବେ ପିଲାମାନଙ୍କର ମୂଲ୍ୟବୋଧର ଆବଶ୍ୟକତା ଅଛି ବୋଲି ସେ ତାଙ୍କ ଅଭିଭାଷଣରେ ଦର୍ଶାଇଛନ୍ତି । ଇନ୍ଦୋର ସବୁ ଜିନିଷଠାରୁ ଆଗରେ ଅଛି, କିନ୍ତୁ ସହରରେ ନିଶା ସେବନ ବଢ଼ୁଛି ବୋଲି ଅଭିଯୋଗ କରିବା ସହିତ ଇନ୍ଦୋରର ନାଇଟ୍ ଲାଇଫ୍ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯୁବଗୋଷ୍ଠୀଙ୍କ ଅନୈତିକ କାର୍ଯ୍ୟକଳାପ ରାସ୍ତାରେ ଦେଖିବାକୁ ମିଳୁଛି ବୋଲି କହିଛନ୍ତି କୈଳାଶ ବିଜୟବର୍ଗୀୟ । ଏହାପୂର୍ବରୁ ଅଗ୍ନିବୀର ମାନଙ୍କୁ ବିଜେପି ପାର୍ଟି ଅଫିସରେ ସିକ୍ୟୁରିଟି ଚାକିରି ପାଇଁ ଅଗ୍ରାଧିକାର ଦିଆଯିବ ବୋଲି କହି ବିବାଦକୁ ଆସିଥିଲେ ଏହି ବରିଷ୍ଠ ବିଜେପି ନେତା ।
ଏଭଳି ବୟାନ ପାଇଁ ବିରୋଧି ମଧ୍ୟ ତାଙ୍କ ସହ ଶାସକ ଦଳକୁ ଘେରିଥିଲେ । ବିଜେପି ନେତା ଯବାନ ମାନଙ୍କୁ ଅପମାନିତ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା । ଏନେଇ ସ୍ପଷ୍ଟୋକ୍ତି ରଖିଥିଲେ କୈଳାଶ ବିଜୟବର୍ଗୀୟ । ସେ କହିଥିଲେ, "ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗ ମୋ କଥାର ଅନର୍ଥ ବାହାର କରୁଛନ୍ତି । ଅଗ୍ନିବୀର ମାନେ ସେମାନଙ୍କ କାର୍ଯ୍ୟକାଳ ସରିବା ପରେ ଯେ କୌଣସି ସ୍ଥାନକୁ ଯିବେ, ସେଠାରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ମୁଁ କହିଥିଲି ।" ସୂଚନାଯୋଗ୍ୟ ଯେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ଇନ୍ଦୋରରେ ରାତିରେ ବଢ଼ୁଥିବା ଅନୈତିକ କାର୍ଯ୍ୟକଳାପ ନେଇ ପୋଲିସ ଉପରେ ଆପତ୍ତି ଉଠାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ