ନୂଆଦିଲ୍ଲୀ: ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କୁ ଦିଲ୍ଲୀ ଡକରା । ବିଜେପି ହାଇକମାଣ୍ତ ତାଙ୍କୁ ଆଜି ଦିଲ୍ଲୀ ଡାକିଛନ୍ତି । ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ବୁଧବାର ଦିନ ଧାର୍ଯ୍ୟ କରିଥିବା ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ସେ ସକାଳ 10:30ରେ ଜାତୀୟ ରାଜଧାନୀ ଅଭିମୁଖେ ଯାତ୍ରା କରିବେ ।
ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି । ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିପାରେ । ଉତ୍ତରାଖଣ୍ଡରେ 70 ଟି ବିଧାନସଭା ଆସନ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦଳ 'ଚିନ୍ତନ ବୈଠକ' ଆୟୋଜନ କରିଛି ।
ସେପଟେ ଦଳ ପକ୍ଷରୁ ହୋଇଥିବା ତିନିଦିନିଆ ବୈଠକ ଜୁନ 27ରୁ ଆରମ୍ଭ ହୋଇ 29 ପର୍ଯ୍ୟନ୍ତ ଚାଲିଥିଲା । ଦଳର ନେତାମାନେ ମତଦାନ ପୂର୍ବରୁ ପ୍ରତ୍ୟେକ ମାସରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଗୁଡିକ ସୁଚିନ୍ତିତ ତଥା ଚୂଡ଼ାନ୍ତ ରୂପେ ଧାର୍ଯ୍ୟ କରିଥିଲେ।
ଦଳର ସୂତ୍ରରୁ ପ୍ରକାଶ ଯେ, ଗଙ୍ଗୋତ୍ରୀ ବିଧାନସଭାରୁ ମୁଖ୍ୟମନ୍ତ୍ରୀ ପ୍ରତିଦ୍ବନ୍ଦିତା କରି ପାରନ୍ତି । ମାର୍ଚ୍ଚ 10ରେ, ପୂର୍ବତନ ସିଏମ ତ୍ରିବେନ୍ଦ୍ର ସିଂ ରାୱତ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।