ଗାନ୍ଧୀନଗର: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ । ସେହିଭଳି କିଛି ଘଟଣା ଘଟିଛି ଗୁଜୁରାଟ ଅହମ୍ମଦାବାଦର ଏକ ସରକାରୀ ହସ୍ପିଟାଲରେ । ମାତ୍ର 436 ଗ୍ରାମର ଏକ ଶିଶୁକନ୍ୟା ନବଜୀବନ ପାଇଛି । ଶିଶୁଟିକୁ ନେଇ ଡାକ୍ତରମାନେ ଆଶା ଛାଡି ଦେଇଥିବାବେଳେ ଦଇବ କୃପାରୁ ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଓ ବିପଦମୁକ୍ତ ରହିଛି । ଏଭଳି ଏକ ଅଦ୍ଭୁତ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
କୋରୋନା ମହାମାରୀ ଦାଉରେ ସବୁକିଛି ଧରାଶାୟୀ ହୋଇପଡିଥିବାବେଳେ ମଧ୍ୟପ୍ରଦେଶ ଇନ୍ଦୋରର ରାଜମିସ୍ତ୍ରୀ ଦମ୍ପତି ଜିତେନ୍ଦ୍ର ଓ ରାନୁଙ୍କ ପାଇଁ ଏହି ସମୟ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ଥିଲା । ଯେତେବେଳେ ଲୋକମାନେ କୋରୋନାରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜୁଥିଲେ ସେହି ସମୟରେ ରାନୁ ନିଜ ଗର୍ଭରେ ଥିବା ଶିଶୁର ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲେ ।
ଘଟଣାଟି କିଛି ଏଭଳି ଥିଲା, ରାଜମିସ୍ତ୍ରୀ ଭାବେ କାମ କରୁଥିବା ରାନୁ 9 ମାସ ପୂର୍ବରୁ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ । ରାନୁ ଗର୍ଭବତୀ ହେବାର ମାତ୍ର ଦୁଇ ମାସ ହୋଇଥିବାବେଳେ ସେ ଲିଭର ଜନିତ କୌଣସି ଗମ୍ଭୀର ରୋଗରେ ପୀଡିତ ହୋଇଥିଲେ । ଏହି ଖବର ଗରିବ ଦମ୍ପତିଙ୍କ ମୁଣ୍ଡରେ ଚଡକ ପକାଇଥିଲା । ତେବେ କୌଣସି ଏକ ବ୍ୟକ୍ତିଙ୍କ ପରାମର୍ଶରେ ମହିଳା ଜଣକ ଅହମ୍ମଦାବାଦର ଏକ ସରକାରୀ ମେଡିକାଲରେ ଚିକିତ୍ସିତ ହୋଇଥିଲେ । ଚିକିତ୍ସା ପରେ ସବୁକିଛି ସ୍ବାଭାବିକ ରହିଥିବା ବେଳେ ଗର୍ଭଧାରଣର 6 ମାସ ପରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ଏବଂ ବିଶେଷକରି ଗର୍ଭରେ ବଢୁଥିବା ଶିଶୁଟି ଉପରେ ଅଧିକ ବିପଦ ରହିଥିଲା ।
ଯେବେ ମହିଳାଙ୍କ ପ୍ରସୂତି ସମୟ ଆସିଲା, ସେହି ସମୟରେ ଡାକ୍ତରଙ୍କ ନିକଟରେ ମାଆ କିମ୍ବା ଛୁଆ ଭିତରୁ ଜଣକୁ ବଞ୍ଚାଇବାର ବିକଳ୍ପ ଥିଲା । ବହୁ ସଂଘର୍ଷ ପରେ ମହିଳା ଜଣକ 436 ଗ୍ରାମର ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଏବଂ ମାଆ ଓ ଶିଶୁ ଦୁହିଁଙ୍କୁ ବଞ୍ଚାଇବାରେ ଡାକ୍ତର ସଫଳ ହୋଇଥିଲେ । ତେବେ ଜନ୍ମ ପରେ ଶିଶୁଟି ମାତ୍ର କେଇ ମିନିଟ ହିଁ ବଞ୍ଚିପାରିବ ବୋଲି ଡାକ୍ତରମାନେ ଆଶାବାଦୀ ଥିଲେ । ମାତ୍ର ଦୈବୀ ଚମତ୍କାର ହେବା ପରି ଅନେକ ସମୟ ବିତି ଯାଇଥିଲେ ମଧ୍ୟ ଶିଶୁଟି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଯାହାକୁ ନେଇ ଗରିବ ଦମ୍ପତ୍ତିଙ୍କ ମଧ୍ୟରେ ଖୁସିରେ ଲହରୀ ଖେଳିଯାଇଛି । ନବଜାତ ଶିଶୁଟିର ନାମ ସେମାନେ ସ୍ନେହରେ 'ଦକ୍ଷିତା' ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ