ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ସାରା ଦେଶ କୋରୋନା ସହ ସଂଘର୍ଷ କରୁଥିବା ବେଳେ ଏବେ ଚାରିଆଡ଼େ ବାର୍ଡ ଫ୍ଲୁ ର ଆତଙ୍କ । ଉତ୍ତର ପ୍ରଦେଶରେ ବାର୍ଡ-ଫ୍ଲୁ ବା ଏବିୟନ ଇଂଫ୍ଲୁଏଞ୍ଜାର ପ୍ରକୋପ ଜାରି ରହିଥିବା ବେଳେ ଏହାର ନମୂନା ସାତୋଟି ରାଜ୍ୟରେ ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶରୁ କେରଳ ଏବଂ ଗୁଜରାଟରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ପକ୍ଷୀମାନଙ୍କର ମୃତ୍ୟୁ ହେବାର ଖବର ରହିଛି। ତେବେ ହିମାଚଳ ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, କେରଳ ଏବଂ ଉତ୍ତରପ୍ରଦେଶ ହେଉଛି ସାତୋଟି ରାଜ୍ୟ, ଯେଉଁଠାରେ ବାର୍ଡ ଫ୍ଲୁ ନିଶ୍ଚିତ ହୋଇଛି। ଏଥି ସହିତ ଜାତୀୟ ରାଜଧାନୀ ଦିଲ୍ଲୀ, ଛତିଶଗଡ ଏବଂ ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟରେ ପରୀକ୍ଷା ପାଇଁ ପକ୍ଷୀମାନଙ୍କର ନମୁନା ଲ୍ୟାବକୁ ପଠାଯାଇଛି। ଏ ନେଇ ଗତ ଶନିବାର କେନ୍ଦ୍ର ସ୍ପଷ୍ଟ କରିଛି। ବିଭାଗ ଏ ନେଇ ପ୍ରଭାବିତ ରାଜ୍ୟ ଗୁଡ଼ିକ ସହ ପରାମର୍ଶ ଜାରି ରଖିଛି। ଆଗକୁ ଏହି ରୋଗ କିପରି ନ ବ୍ୟାପିବ ସେଥିପ୍ରତି ଧ୍ୟାନ ଦିଆଯାଉଛି।
ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ କାନପୁର ପ୍ରାଣୀ ଉଦ୍ୟାନକୁ ସିଲ କରାଯାଇଛି। ଏଠାରେ ଚାରି ପକ୍ଷୀଙ୍କ ମୃତ୍ୟୁ ପରେ ସେମାନଙ୍କ ରିପୋର୍ଟରୁ ବାର୍ଡ ଫ୍ଲୁ ନିଶ୍ଚିତ ହୋଇଛି। କାନପୁର କମିଶନର ରାଜ ଶେଖରଙ୍କ ନିର୍ଦ୍ଦେଶରେ ପ୍ରାଣୀ ଉଦ୍ୟାନର ଚତୁର୍ଦ୍ଦିଗକୁ ରେଡ ଜୋନ ଘୋଷଣା କରାଯାଇଛି। ଏନେଇ ଏହି ଅଞ୍ଚଳର ବାସିନ୍ଦା , ପ୍ରଶାସନ ସତର୍କ ହୋଇପଡିଛନ୍ତି। ଦିଲ୍ଲୀରେ ଏପର୍ଯ୍ୟନ୍ତ କୋରୋନା ସ୍ଥିତି ସୁଧୁରିନଥିବା ବେଳେ ଏବେ ବାର୍ଡ ଫ୍ଲୁର ଆତଙ୍କ ଖେଳିଯାଇଛି। ଯଦିଓ ଦିଲ୍ଲୀରେ ବାର୍ଡ ଫ୍ଲୁର କୌଣସି ନିଶ୍ଚିତତା ନାହିଁ, କିନ୍ତୁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପକ୍ଷୀମାନେ ମରୁଛନ୍ତି, ଯାହା ଏବେ ଚିନ୍ତା ବଢାଉଛି। ଦିଲ୍ଲୀର ଏକ ପାର୍କରେ 17 କାଉଙ୍କର ମୃତ୍ୟୁ ହୋଇଥିବାବେଳେ ଦ୍ବାରକାସ୍ଥିତ ଡିଡିଏ ପାର୍କରେ 2 କାଉଙ୍କ ମୃତ୍ୟୁ ଘଟିଛି। ଏଥିସହ ଦିଲ୍ଲୀର ସଞ୍ଜୟ ହ୍ରଦରେ 10 ବତକଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ମୟୂର ବିହାର ଫେଜ -3 ପାର୍କରେ ତିନି ଚାରି ଦିନ ଧରି ମୃତ କାଉମାନଙ୍କୁ ଦେଖିବାକୁ ମିଳୁଛି ।
ବାର୍ଡ ଫ୍ଲୁ ହେବାର ଆଶଙ୍କା ଦେଖି ଦିଲ୍ଲୀ ସରକାର ମଧ୍ୟ ପ୍ରସ୍ତୁତିକୁ ତ୍ବରାନ୍ବିତ କରିଛନ୍ତି। ଏନେଇ ଗାଜୀପୁର କୁକୁଡ଼ା ଫର୍ମ 10 ଦିନ ପାଇଁ ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି। ଜୀବନ୍ତ ପକ୍ଷୀ ଆମଦାନୀ ଉପରେ ବର୍ତ୍ତମାନ ନିଷେଧାଦେଶ ଜାରି କରାଯାଇଛି। ଦିଲ୍ଲୀର ପ୍ରତ୍ୟେକ ଜିଲ୍ଲାରେ ମନିଟରିଂ ପାଇଁ ସର୍ଭିଲାନ୍ସ ଟିମ୍ ଗଠନ କରାଯାଇଛି। ପ୍ରାଣୀ ଚିକିତ୍ସକମାନେ କ୍ରମାଗତ ଭାବରେ ସର୍ଭେ କରୁଛନ୍ତି। ସଞ୍ଜୟ ହ୍ରଦ, ଭଲସବା ହ୍ରଦ ଏବଂ କୁକୁଡ଼ା ବଜାର ଉପରେ ନଜର ରଖାଯାଉଛି। ତେବେ ମୃତ ପକ୍ଷୀମାନଙ୍କ ବିଷୟରେ ସୂଚନା ଦେବା ପାଇଁ ହେଲ୍ପଲାଇନ ନମ୍ବର 23890318 ମଧ୍ୟ ଜାରି କରାଯାଇଛି | ବାର୍ଡ ଫ୍ଲୁ ରୋଗ ବୃଦ୍ଧି ହେତୁ ପର୍ବତରେ ମଧ୍ୟ ଏକ ସତର୍କ ସୂଚନା ଜାରି କରାଯାଇଛି। ପୁଞ୍ଚ, ଜାମ୍ମୁ କାଶ୍ମୀରରେ ପଶୁପାଳନ ବିଭାଗ କୁକୁଡ଼ା ଫାର୍ମକୁ ସତର୍କ ରହିବାକୁ କହିଛି। ପାର୍କରେ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି।