ପାଟନା: ନିକଟରେ ବିହାରର ବକ୍ସର ଜିଲ୍ଲା ଗଙ୍ଗାନଦୀରେ ବହୁସଂଖ୍ୟକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ନଦୀରେ ଏପରି ମୃତଦେହ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ମୃତଦେହଗୁଡିକ କୋରୋନା ରୋଗୀଙ୍କ ହୋଇଥିବା କୁହାଯାଉଛି । ଏନେଇ ଗଙ୍ଗା ନଦୀ କୂଳମାନଙ୍କରେ ପଇଁତରା ମାରୁଛି ବିହାର ପୋଲିସ ।
ବକ୍ସରର ଆସିଷ୍ଟାଣ୍ଟ ସବ୍ ଇନ୍ସିପେକ୍ଟର ବିଏନ ଉପାଧ୍ୟାୟଙ୍କ କହିବା ଅନୁଯାୟୀ, ଗଙ୍ଗାନଦୀରେ ପାଟ୍ରୋଲିଂ କରାଯାଉଛି । ନଦୀରେ ଭାସୁଥିବା ମୃତଦେହଗୁଡିକୁ ଉଦ୍ଧାର କରିବା ପରେ ପୋଲିସ ତାହାର ଅନ୍ତିମ ସତ୍କାର କରୁଛି । କିଛି ଦିନ ଧରି ନଦୀରୁ ମୃତଦେହ ଉଦ୍ଧାର କରାଯାଉଥିବାବେଳେ ରବିବାର ନଦୀରୁ କୌଣସି ମୃତଦେହ ମିଳିନାହିଁ । ତେବେ ଅନ୍ତିମ ସତ୍କାର କରାଯାଉଥିବା ସମ୍ପୃକ୍ତ ମୃତଦେହଗୁଡିକ ସ୍ଥାନୀୟ ଅଞ୍ଚଳର ହୋଇନଥିବା ଅନ୍ୟ ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ସେହିପରି ବିହାର ଗଙ୍ଗାଘାଟର ପୂଜକ ଧନଞ୍ଜୟ କୁମାର ପାଣ୍ଡେ କହିଛନ୍ତି, ମୃତଦେହ ଗୁଡିକ ଉତ୍ତରପ୍ରଦେଶରୁ ଭାସି ଆସୁଛି । ସେଠାକାର ଲୋକମାନେ ମୃତଦେହ ଦାହ ନ କରି ସିଧାସଳଖ ପାଣିରେ ଭସାଇ ଦେଉଛନ୍ତି । ସେପଟେ ଉତ୍ତରପ୍ରଦେଶର ଜଣେ ପୂଜକ ଏହାକୁ ଖଣ୍ଡନ କରି କହିଛନ୍ତି, ଉତ୍ତରପ୍ରଦେଶ ଗାଜିପୁର ପ୍ରଶାସନ ନଦୀରେ ମୃତଦେହ ଭସାଇବା ଉପରେ କଟକଣା ଲଗାଇଛନ୍ତି । ଏଥିସହ ବିହାରରରେ କଣ କେହି କୋରୋନା ଆକ୍ରାନ୍ତ ମରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ବିହାରର ମନ୍ତ୍ରୀ ସଞ୍ଜୟ କୁମାର ଝାଙ୍କ ସୂଚନା ମୁତାବକ, ଏଯାବତ୍ ଗଙ୍ଗାରୁ 71ଟି ମୃତଦେହ ଉଦ୍ଧାର ହୋଇଛି ଏବଂ ସେମାନଙ୍କ ଅନ୍ତିମ ସତ୍କାର କରାଯାଇଛି । ଏଥିସହ ୟୁପି ଓ ବିହାର ସୀମା ଘାଟରେ ଏକ ଜାଲ ମଧ୍ୟ ବିଛାଇ ଦିଆଯାଇଛି ।
ସୂଚନାଥାଉ କି, ଉତ୍ତରପ୍ରଦେଶ ଗାଜିପୁର ଗଙ୍ଗାଘାଟରୁ ମଧ୍ୟ ଅନେକ ଭାସମାନ ମୃତଦେହ ଉଦ୍ଧାର ହୋଇଛି । ଏନେଇ ବିହାର ସରକାର ୟୁପି ପ୍ରଶାସନକୁ ଏ ଦିଗରେ ସଜାଗ ରହିବାକୁ ପରାମର୍ଶ ଦେଇଥିବା ଜଳ ସମ୍ବଳ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ସଞ୍ଜୟ ଝା ଟ୍ବିଟ୍ ଯୋଗେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ