ପାଟନା: ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ସ୍ଥାନାନ୍ତର ହେଲେ ବିହାର ରାଜ୍ୟପାଳ ଫାଗୁ ଚୌହାନ(Bihar Governor Fagu Chauhan) । ଗତ ଗୁରୁବାର ଦିନ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଏଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାର କୌଣସି ଆଖି ଦୃଶିଆ ଉନ୍ନତି ନହେବାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି ।
ଏକ ସପ୍ତାହ ହେଲା ବିହାର ରାଜ୍ୟପାଳ ଅସୁସ୍ଥତା ଅନୁଭବ କୁରଛନ୍ତି । ଗୁରୁବାର ଅଚାନକ ବେହୋସ ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେ ଧୀରେଧୀରେ ସୁସ୍ଥ ହେଉଥିଲେ ବୋଲି କହିଛନ୍ତି ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଡାକ୍ତର । ଲଗାତାର ତାଙ୍କ ଉପରେ ନଜର ରଖି ଚିକିତ୍ସା କରାଯାଉଥିଲା ।
ଏହାକୁ ନେଇ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଡାକ୍ତର ମନୀଷ ମଣ୍ଡଳ କହିଛନ୍ତି, "ରାଜ୍ୟପାଳଙ୍କ ସ୍ବାସ୍ଥ୍ୟାବସ୍ଥା ମନିଟରିଂ ପାଇଁ ଏକ ଡାକ୍ତରୀ ଦଳ ଗଠନ ହୋଇଥିଲା । ତାଙ୍କୁ ଏକ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେ ହୋସ୍କୁ ଆସୁଥିଲେ ଓ ଠିକ୍ ମଧ୍ୟ ହେବାରେ ଲାଗିଥିଲେ ।" ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଡାକ୍ତରଙ୍କ ମୁତାବକ ବିହାର ରାଜ୍ୟପାଳ ଫାଗୁ ଚୌହାନ ୟୁରିନରି ଟ୍ରାକ୍ ଇନ୍ଫେକ୍ସନ ବା ମୂତ୍ର ନଳୀ ସଂକ୍ରମଣର ଶିକାର ହୋଇଛନ୍ତି ।
ହସ୍ପିଟାଲ୍ରେ ଭର୍ତ୍ତି ହେବାପରେ ତାଙ୍କର ଅନେକ ଟେଷ୍ଟ କରାଯାଇଥିଲା । ଯାହାଫଳରେ ସେ ସଂକ୍ରମଣର ଶିକାର ହୋଇଥିବା ଜଣା ପଡ଼ିଥିଲା । ଏହି ସଂକ୍ରମଣ ପାଇଁ ପୂର୍ବରୁ ହିଁ ରାଜ୍ୟପାଳ ଏଠାରେ ଚିକିତ୍ସା କରାଇ ଆସୁଥିଲେ । ୟୁରୋଲୋଜୀ ସହ କାର୍ଡିଓଲୋଜୀ ବିଭାଗ ଡାକ୍ତର ମଧ୍ୟ ଫାଗୁ ଚୌହାନଙ୍କ ପରୀକ୍ଷା କରିଥିଲେ । ଏହାପୂର୍ବରୁ ହୃଦରୋଗର ଶିକାର ହୋଇ ସାରିଛନ୍ତି ଫାଗୁ ଚୌହାନ । ଏଥିପାଇଁ ତାଙ୍କ ଆଞ୍ଜିଓପ୍ଲାଷ୍ଟି ମଧ୍ୟ ହୋଇଥିଲା । ରାଜ୍ୟପାଳଙ୍କ ଅଧିକ ସୁରକ୍ଷା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଥିବା ଜଣା ପଡ଼ିଛି ।