ପାଟନା: ସ୍ପଷ୍ଟ ଦିବାଲୋକରେ କୋର୍ଟ ପରିସରରେ ଫୁଟିଲା ଗୁଳି । ବିହାର ସମସ୍ତିପୁର କୋର୍ଟ ପରିସରରେ ଜଣେ ଦୁର୍ବୃତ୍ତ ଗୁଳିମାଡ କରିଛି । ଏଥିରେ ଦୁଇ ଜଣ ବିଚାରାଧୀନ କଏଦୀ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଏହି ବିଚାରଧୀନ କଏଦୀକୁ କୋର୍ଟରେ ହାଜର କରାଯାଇଥିଲା । ଏହି ସମୟରେ ଏହି ଆକ୍ରମଣରେ କଏଦୀ ଜଣଙ୍କ ଆହତ ହୋଇଥିଲେ । ତେବେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଟିମ ଆହତ ହୋଇଥିବା ବିଚାର ବିଭାଗୀୟ କଏଦୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଚୋରା ମଦ କାରବାର ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଥିବା ପ୍ରଭାତ ଚୌଧୁରୀକୁ ଶୁଣାଣି ପାଇଁ ଆଜି ସମସ୍ତିପୁର କୋର୍ଟରେ ହାଜର କରଯାଇଥିଲା । ତାକୁ ପୋଲିସ ଟିମ କୋର୍ଟରେ ହାଜର କରିବାକୁ ନେବା ବେଳେ ଜଣେ ଦୁର୍ବୃତ୍ତ କୋର୍ଟ ପରିସରରେ ପ୍ରବେଶ କରି ଗୁଳିମାଡ କରିଥିଲା । କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତଜଣକ ଏକ ବନ୍ଧୁକ ବାହାର କରି କଏଦୀ ପ୍ରଭାତ ଓ ପୋଲିସ ଟିମ ଉପରେ ଗୁଳି ଚଳାଇଥିଲା । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ପୂର୍ବରୁ ଅଭିଯୁକ୍ତ କୋର୍ଟ ପରିସରରୁ ଫେରାର ହୋଇଯିବାରେ ସଫଳ ହୋଇଛି । ବିଚାରାଧୀନ କଏଦୀ ପ୍ରଭାତ ଦେହରେ ଗୁଳି ବାଜିଛି । ଏହା ସହିତ ଅନ୍ୟ ଜଣେ ଏକଦୀ ଦେହରେ ମଧ୍ୟ ଗୁଳି ବାଜିଛି । ପରେ ତୁରନ୍ତ ଏକ ଆମ୍ବୁଲାନ୍ସରେ ଦୁଇ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋର୍ଟ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଆକ୍ରମଣକାରୀକୁ ଚିହ୍ନଟ କରିବାକୁ ପୋଲିସ ପ୍ରୟାସ କରୁଛି ।
ଏହା ମଧ୍ୟ ପଢନ୍ତୁ:-ପାକିସ୍ତାନ ଗୁଇନ୍ଦା ବିଭାଗ ସହ ଲିଙ୍କ ସନ୍ଦେହରେ ଜଣେ ଗିରଫ, ଛାଡିଛନ୍ତି ବିଭିନ୍ନ ସହରର ଭିଡିଓ
ଘଟଣା ପରେ କୋର୍ଟ ପରିସରରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଆଇନଜୀବୀ ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅତିରିକ୍ତ ପୋଲିସ ଫୋର୍ସ କୋର୍ଟ ପରିସରରେ ପହଞ୍ଚିଛି । ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ପାଇଁ ପ୍ରୟାସ କରାଯାଉଛି । ଅନ୍ୟପଟେ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ଏକାଧିକ କୋର୍ଟରେ ଏପରି ଗୁଳିମାଡ ଘଟଣା ଘଟିଥିବାର ନଜର ରହିଛି । ଉତ୍ତର ପ୍ରଦେଶର ଏକ କୋର୍ଟ ପରିସରରେ ଜଣେ ଗ୍ୟାଙ୍ଗଷ୍ଟାରକୁ ହାଜର କରାଯିବା ସମୟରେ ଗୁଳି କରି ହତ୍ୟା କରାଯାଇଥିଲା । ସେହିପରି ଦିଲ୍ଲୀର ଏକ କୋର୍ଟରେ ମଧ୍ୟ ଦୁଇ ଆଇନଜୀବୀ ଗୋଷ୍ଠୀ ମଧ୍ୟରେ ତିକ୍ତତାରୁ ଗୁଳି ଫୁଟିଥିଲା । ଜଣେ ଆଇନଜୀବୀ ନିଜ ଲାଇସେନ୍ସ ବନ୍ଧୁକରୁ ଫଙ୍କା ଗୁଳାଚାଳନା କରି କୋର୍ଟ ପରିସରରେ ଆତଙ୍କ ଖେଳାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ