ମୁମ୍ବାଇ: ଋତୁସ୍ରାବ ସ୍ବଚ୍ଛତା ଦିବସ(World Menstrual Hygiene Day) ରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟରେ ଦାରିଦ୍ର ସୀମାରେଖା ତଳେ ଥିବା ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ପାଇଁ ମାତ୍ର ଏକ ଟଙ୍କାରେ 10 ଟି ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବା ନେଇ ସରକାର ଘୋଷଣା କରିଛନ୍ତି । ଏହି ଘୋଷଣା ଫଳରେ ମହାରାଷ୍ଟ୍ରରେ ମୋଟ 60 ଲକ୍ଷ ମହିଳା ଉପକୃତ ହେବା ନେଇ ସରକାରୀ ଭାବେ ଆକଳନ କରାଯାଇଛି ।
ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁଶ୍ରିଫ କହିଛନ୍ତି ଯେ, ଏହି ଯୋଜନା 15 ଅଗଷ୍ଟ 2022 ରେ ଆରମ୍ଭ ହେବାକୁ ଯାଉଛି । 120 ମିଲିୟନରୁ ଅଧିକ ମହିଳା ପ୍ରତିବର୍ଷ ଋତୁସ୍ରାବଜନିତ ରୋଗରେ ପୀଡିତ ହୁଅନ୍ତି । ସେହିପରି ଗତ ଚାରି ବର୍ଷ ମଧ୍ୟରେ ଭାରତର 60,000 ରୁ ଅଧିକ ମହିଳାଙ୍କ ଗର୍ଭାଶୟ କର୍କଟ (cervical cancer)ରେ ପ୍ରାଣ ହରାଇଛନ୍ତି । ଭାରତରେ 320 ମିଲିୟନ ମହିଳାଙ୍କ ମଧ୍ୟରୁ ମାତ୍ର 12% ମହିଳା ବର୍ତ୍ତମାନ ସାନିଟାରୀ ନାପକିନ୍ ବ୍ୟବହାର କରୁଛନ୍ତି ।
ସେହିପରି ବର୍ତ୍ତମାନ ମହାରାଷ୍ଟ୍ରରେ କେବଳ 66% ମହିଳା ସାନିଟାରୀ ନାପକିନ୍ ବ୍ୟବହାର କରନ୍ତି । ଅବଶିଷ୍ଟ ମହିଳା ସଚେତନତା ଅଭାବ ତଥା ଆର୍ଥିକ ସ୍ବଚ୍ଛଳତା ଅଭାବରୁ ଏହାର ବ୍ୟବହାର କରିପାରୁ ନାହାନ୍ତି । ତେବେ ମହାରାଷ୍ଟ୍ର ସରକାର ଚଳିତ ଥର ଗ୍ରହଣ କରିଥିବା ନିଷ୍ପତ୍ତି ରାଜ୍ୟର ମହିଳାଙ୍କ ପାଇ ବେଶ ଲାଭଦାୟକ ସାବ୍ୟସ୍ତ ହେବା ନେଇ ମନ୍ତ୍ରୀ କହିଛନ୍ତି । ପ୍ରତିବର୍ଷ ପରି ଆଜି ତଥା ମେ ୨୮ ତାରିଖକୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ (World Menstrual Hygiene Day) ପାଳିତ ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ