ନୂଆଦିଲ୍ଲୀ: ଡେଲିଭରି ବଏଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି ‘ଜୋମାଟୋ’ । ସେମାନଙ୍କୁ ଜୋର ଜବରଦସ୍ତି ଘୁଷୁରୀ ଏବଂ ଗୋମାଂସ ଡେଲିଭରୀ କରାଉଛି ଏହି କମ୍ପାନୀ । ଖାଦ୍ୟ ଡେଲିଭରି କମ୍ପାନୀ ଜୋମାଟୋ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି ସେହି କମ୍ପାନୀ ପାଇଁ ଡେଲିଭରି କରୁଥିବା କର୍ମଚାରୀ । ତେବେ ସେମାନେ ଏନେଇ କୋଲକାତାରେ ଧାରଣାରେ ମଧ୍ୟ ବସିଥିବା ଜଣା ପଡିଛି ।
ଧାରଣାରେ ବସିଥିବା ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟାଗରେ ସେମାନେ ଡେଲିଭରି କରନ୍ତି ସେହି ବ୍ୟାଗ ସେମାନଙ୍କୁ ନିଜ ଘରକୁ ନେବାକୁ ପଡିଥାଏ । ଏହା ଦ୍ବାରା ସେମାନଙ୍କ ଧାର୍ମିକ ଭାବନା ଆଘାତ ହେଉଛି । ତେବେ ଏହି କର୍ମଚାରୀ ଡେଲିଭରି କରିବାକୁ ମନା କରିଦେବାରୁ କମ୍ପାନୀ ସେମାନଙ୍କ ନାମରେ ଥାନାରେ ଅଭିଯୋଗ କରିଛି । ଏହା ସହିତ ସେମାନଙ୍କୁ ଧମକ ମଧ୍ୟ ଦିଆଯାଉଥିବା କର୍ମଚାରୀ କରିଛନ୍ତି ।
ସେପଟେ ଘଟଣାଟି ସାମ୍ନାକୁ ଆସିବା ପରେ ପଶ୍ଚିମବଙ୍ଗର ମନ୍ତ୍ରୀ ରାଜୀବ ବାନାର୍ଜୀ ଏନେଇ କହିଛନ୍ତି, କୌଣସି ବ୍ୟକ୍ତିକୁ କେହି ବି ତାର ଧର୍ମ ବିରୋଧରେ କାମ କରିବା ପାଇଁ ବାଧ୍ୟ କରିପାରିବେ ନାହିଁ। ସେ ଏହି ଘଟଣାରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏହା ପୂର୍ବରୁ ମଧ୍ୟ ଜୋମାଟୋ ଧର୍ମକୁ ନେଇ ବିବାଦ ଘେରରେ ପଡିଥିଲା । ଧର୍ମ କାରଣରୁ ମଧ୍ୟପ୍ରଦେଶ ଜବଲପୁରରେ ଜଣେ ବ୍ୟକ୍ତି ଅର୍ଡର ରଦ୍ଦ କରିଥିଲେ । ଏହାପରେ ଜମାଟୋ ସ୍ପଷ୍ଟୀକରଣ ରଖି ଖାଦ୍ୟରେ କୌଣସି ଧର୍ମ ନଥାଏ ବୋଲି ଟ୍ବିଟ ମଧ୍ୟ କରିଥିଲା ।