ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହସ୍ତିନାପୁର ଅଭୟାରଣ୍ୟର ଜୈବ ବିବିଧତା ସୁରକ୍ଷା ସଂକ୍ରାନ୍ତରେ ଓକିଲ ଗୌରବ କୁମାର ବଂଶଲଙ୍କ ଦ୍ବାରା ଦାଏର ଯାଚିକାର ଶୁଣାଣି କରିଛି ଜାତୀୟ ସବୁଜ ପ୍ରାଧିକରଣ(ଏନଜିଟି) । ମାମଲାର ଶୁଣାଣି କରି ଏନଜିଟି ଉତ୍ତର ପ୍ରଦେଶ ପ୍ରଶାସନକୁ ସମନ ଜାରି କରିଛନ୍ତି ।
ରାଜ୍ୟ ପ୍ରଶାସନ ହସ୍ତିନାପୁର ଅଭୟାରଣ୍ୟକୁ ସଂରକ୍ଷିତ ଘୋଷଣା କରିବା ନିମନ୍ତେ ଅନ୍ତିମ ଘୋଷଣାନାମା ଜାରି କରୁ ନ ଥିବାରୁ ଏନଜିଟି କ୍ଷୁବ୍ଧ ହୋଇଛି । ତେଣୁ ପ୍ରାଧିକରଣ ବିଭାଗୀୟ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବରେ ହାଜିର ହୋଇ ବିଳମ୍ବର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛି ।
ବଂଶଲ ହସ୍ତିନାପୁର ଅଭୟାରଣ୍ୟର ଜୈବ ବିବିଧତା ସୁରକ୍ଷା ବାବଦରେ ପିଟିସନରେ ଉଲ୍ଲେଖ କରିଛନ୍ତି । ବିଭିନ୍ନ ଶିଳ୍ପ ସଂସ୍ଥାଗୁଡିକ ସେଠାରେ ଜୈବ ବିବିଧତାକୁ ନଷ୍ଟ କରୁଥିବା ସେ ଏଥିରେ ଦର୍ଶାଇଛନ୍ତି । ସେ ମଧ୍ୟ ଭାରତୀୟ ବନ୍ୟଜନ୍ତୁ ସଂସ୍ଥାନର ଏକ ରିପୋର୍ଟ ଏଥିରେ ସଂଯୁକ୍ତ କରିଛନ୍ତି । ରିପୋର୍ଟରେ ବିଭିନ୍ନ ବିରଳ ପ୍ରଜାତିର ହରିଣଙ୍କ ଉପରେ ବିପଦ ରହିଥିବାର ଦର୍ଶାଯାଇଛି । ଏହି ବିପଦ ଅତ୍ୟାଧିକ ମାନବ ଚଳପ୍ରଚଳ ଓ ଜଙ୍ଗଲରେ ଲାଗୁଥିବା ନିଆଁ ଯୋଗୁଁ ସୃଷ୍ଟି ହେଉଥିବା ରିପୋର୍ଟରେ କୁହାଯାଇଛି । ଅଭୟାରଣ୍ୟର ବୃହତ୍ ଭାଗ ମାନବ ବ୍ୟବହୃତ ଅଞ୍ଚଳରେ ରହିଥିବାରୁ ଏହା ଉପରେ ଧ୍ୟାନ ଦେବାକୁ ଏହି ରିପୋର୍ଟର ଅନ୍ୟ ଭାଗରେ କୁହାଯାଇଛି । ହେଲେ ଏହାକୁ ଗୁରୁତ୍ବ ଦେଉନଥିବାରୁ ସରକାରଙ୍କୁ ଏନଜିଟି ସମନ୍ ଜାରି କରିଛି ।