ହାଇଦ୍ରାବାଦ: ଲକଡାଉନରେ ବଢିବାରେ ଲାଗିଛି ଇଣ୍ଟରନେଟର ବ୍ୟବହାର । ଆଗ ତୁଳନାରେ ବର୍ତ୍ତମାନ 30 ପ୍ରତିଶତ ଅଧିକ ଇଣ୍ଟରନେଟ ବ୍ୟବହାର ହେଉଥିବା ବେଳେ 70 ପ୍ରତିଶତ ଲୋକେ ଇଣ୍ଟରନେଟରେ ଦିନର ଅଧିକାଂଶ ସମୟ ଅତିବାହିତ କରୁଥିବା ଜଣା ପଡିଛି । ତେବେ ଇଣ୍ଟରନେଟର ବହୁଳ ବ୍ୟବହାରକୁ ନଜରରେ ରଖି ୟୁଟ୍ୟୁବ ନେଇଛି ଏକ କଡା ପଦକ୍ଷେପ ।
ଆଗରୁ ସ୍ମାର୍ଟଫୋନରେ ବି ଆପଣ ହାଇ ଡେଫିନିସନ(ଏଚଡି) କ୍ବାଲିଟିର ଭିଡିଓ ଦେଖିପାରୁଥିବା ବେଳେ ଏବେ ଏହି ସୁବିଧାକୁ ପ୍ରତ୍ୟାହୃତ କରିଛି ୟୁଟ୍ୟୁବ । ବର୍ତ୍ତମାନ ସ୍ମାର୍ଟଫୋନରେ କେବଳ ଷ୍ଟାଣ୍ଡାର୍ଡ ଡେଫିନିସନ(ଏସଡି) କ୍ବାଲିଟିରେ ହିଁ ଆପଣ ଭିଡିଓ ଦେଖିପାରିବେ । ଏହା ଉଭୟ ଆଣ୍ଡ୍ରଏଡ ଓ ଆଇଫୋନ ୟୁଜର୍ସଙ୍କ ପାଇଁ ଲାଗୁ ହୋଇଛି ।
ବିଶ୍ବରେ ସୃଷ୍ଟି ହୋଇଥିବା ବିପଦକୁ ନଜରରେ ରଖି ୟୁଟ୍ୟୁବ ଏପରି ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ କରିଛି । ଏନେଇ ଆଗରୁ ୟୁଟ୍ୟୁବ ଘୋଷଣା କରିଥିବା ବେଳେ ଏବେ ଏହା ଲାଗୁ ହେବା ଆରମ୍ଭ ହୋଇଛି । ତେବେ କୌଣସି ବି ପରିସ୍ଥିତିରେ ବିଶ୍ବରେ ଇଣ୍ଟରନେଟର ଅଭାବ ହେବ ନାହିଁ ବୋଲି ପ୍ରକାଶ କରିଛି ୟୁଟ୍ୟୁବ ।